କାଗଜ କଲମରେ ଚାଲିଛି ଫାଣ୍ଡି: ବସି ବସି ଦରମା ନେଉଛନ୍ତି କର୍ମଚାରୀ

ଫାଣ୍ଡି ଗାଏବ। କାଗଜ କଲମରେ ଚାଲିଛି ଫାଣ୍ଡି। ବସି ବସି ଦରମା ନେଉଛନ୍ତି କର୍ମଚାରୀ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଗୁପ୍ତି ଫାଣ୍ଡିର ମିଳୁନି ଖୋଜ ଖବର । ତାଳଚୁଆ ଠାରେ ସାମୁଦ୍ରିକ ଥାନା ପ୍ରତିଷ୍ଠା ହେବାପରେ ତାଳଚୁଆରୁ ଫାଣ୍ଡିଙ୍କୁ ଗୁପ୍ତିକୁ ସ୍ଥାନାନ୍ତର ପାଇଁ ଚିଠି ହୋଇଥିଲା । କେନ୍ଦ୍ରାପଡ଼ା ଏସପି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରିଥିଲେ । ଏହା ପରେ ଗୁପ୍ତିଠାରେ ଫାଣ୍ଡି ଖୋଲାଯିବା ପାଇଁ ସରକାରୀସ୍ତରରେ ମଂଜୁରୀ ପ୍ରଦାନ କରାଯାଇଥିଲା। ଗୁପ୍ତି ପଂଚାୟତ ଅଫିସରେ କିଛି ପୋଲିସ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ଫାଣ୍ଡି କାର୍ଯ୍ୟକ୍ଷମ ହୋଇଥିଲା । ବର୍ତ୍ତମାନ ଏହି ଫାଣ୍ଡିରେ ୨ଜଣ କନଷ୍ଟେବଳ, ଜଣେ ସୁଇପର ଓ ୨ ଜଣ ହାବିଲଦାର ଡ୍ୟୁଟି କରୁଥିବା ଦର୍ଶାଇ ଦରମା ନେଉଛନ୍ତି । ମାତ୍ର ଫାଣ୍ଡି କେବଳ କାଗଜ କଲମରେ ହିଁ ଚାଲିଛି । ଦିନକୁ ଦିନ ରାଜନଗର ଅଞ୍ଚଳରେ ଆଇନ ଶୃଙ୍ଖଳା ବୃଦ୍ଧି ପାଉଥିବା ବେଳେ ଫାଣ୍ଡି ଗାଏବ ହୋଇଯିବା ସ୍ଥାନୀୟ ଲୋକଙ୍କୁ ଚିନ୍ତାରେ ପକାଇଛି ।
ରାଜନଗର ଥାନା ଗୁପ୍ତି ଅଞ୍ଚଳକୁ ପ୍ରତ୍ୟେକ ଦିନ ଶହଶହ ବୋଟ ବାଂଲାଦେଶ ସମେତ ପଶିମବଙ୍ଗକୁ ଅବାଧରେ ଯାଆସ କରୁଛି । ଏମାନଙ୍କୁ ଚେକିଂ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଫଳରେ ଏହି ଅଞ୍ଚଳରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ଏହା ସହ ଭିତରକନିକାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ଗୁପ୍ତି ଜଳପଥ ଦେଇ ଭିତରକନିକା ଯାଇଥାନ୍ତି । ପର୍ଯ୍ୟଟକଙ୍କ ସୁରକ୍ଷା ଓ ସାତଭାୟା, ଗୁପ୍ତି ଓ ଇଶ୍ୱରପୁର ପଂଚାୟତର ୬୦ଟି ରାଜସ୍ୱ ଗ୍ରାମର ଆଇନଶୃଙ୍ଖଳା ଦାୟିତ୍ୱ ଗୁପ୍ତି ଫାଣ୍ଡିକୁ ଦିଆଯାଇଛି । ହେଲେ ଏମାନଙ୍କୁ ୨୫ରୁ ୩୦ କିମି ଦୂର ରାଜନଗର ଥାନାକୁ ଆସିବାକୁ ପଡୁଛି । ତେବେ ଏ ସମ୍ପର୍କରେ ରାଜନଗର ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ ମୁହଁ ଖୋଲିନାହାନ୍ତି ।