ଦେଢବର୍ଷର ବିଜେପି ସରକାର ବିରୋଧରେ କଂଗ୍ରେସ ଆଣିଛି ଅନାସ୍ଥା ପ୍ରସ୍ତାବ, ସିପିଆଇଏମର ସମର୍ଥନ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ । ଅନାସ୍ଥା ନୋଟିସକୁ ସମର୍ଥନ କଲା ସିପିଆଇ(ଏମ) । ବିଜେଡିର ସମର୍ଥନ ଲୋଡିଲା କଂଗ୍ରେସ । ବିଜେପିର ପ୍ରଶ୍ନ, କଂଗ୍ରେସର ସଂଖ୍ୟା କେତେ ?.. ..ରାଜ୍ୟ ବିଜେପି ସରକାରକୁ ବିପଦ କି ? ଦେଢବର୍ଷ ହେବ ରାଜ୍ୟବାସୀଙ୍କୁ ସୁଶାସନ ଦେବାରେ ବିଫଳ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଛି ଅନାସ୍ଥା ପ୍ରସ୍ତାବ । ମୌସୁମୀ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ୧୪ ଜଣ ବିଧାୟକ ଓ ସିପିଆଇ(ଏମ)ର ଜଣେ ବିଧାୟକଙ୍କ ସମର୍ଥନରେ ସରକାରଙ୍କ ବିରୋଧରେ ଅନାସ୍ଥା ନୋଟିସ ଦେଇଛି । ନୋଟିସ ଦେବା ପରେ କଂଗ୍ରେସ ବିଜେଡିର ସମର୍ଥନ ଲୋଡିଛି । ବିଜେପି ସରକାର ରାଜ୍ୟରେ ଗଠନ ହେବା ପରଠାରୁ ଚାଷୀ, ମହିଳା, ଯୁବକ ଓ ରାଜ୍ୟବାସୀଙ୍କ ସମସ୍ୟା ବଢିବଢି ଚାଲିଛି । ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭୁଶୁଡ଼ି ପଡିଛି । ବିଜେପି ସରକାରକୁ ଆସିବା ପରେ ସବୁ ପ୍ରତିଶୃତିକୁ ଭୁଲି ଯାଇଛି । ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି । ବିଜେପି ସରକାର ବିରୋଧରେ ଏପରି ମାଳମାଳ ଅଭିଯୋଗ ଆଣି କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବିଧାୟକମାନେ କହିଛନ୍ତି ।
କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ବିଧାନସଭା ବାହାରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । ବିଜେପି ବିଧାୟକ ମନୋରଂଜନ ଦ୍ୟାନ ସାମନ୍ତରାୟ କହିଛନ୍ତି, କଂଗ୍ରେସ ପାଖରେ ସଂଖ୍ୟା ନାହିଁ । ତେଣୁ ଅନାସ୍ଥା ପ୍ରସ୍ତାବର କୌଣସି ପ୍ରଭାବ ବିଜେପି ସରକାର ଉପରେ ପଡିବ ନାହିଁ । ଯାହାର କଡା ଜବାବ ଦେଇଛି କଂଗ୍ରେସ । ଅନ୍ୟପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ବିଜେଡି ତାର ନିଜ ରଣନୀତିରେ ବିଧାନସଭାରେ ଲୋକଙ୍କ ସ୍ବର ସାଜି ସରକାରଙ୍କୁ ଘେରିବ । ରାଜନୈତିକ ସମୀକ୍ଷକଙ୍କ ଯୁକ୍ତି ହେଉଛି ସଂଖ୍ୟା ଦୃଷ୍ଟିରୁ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ବେଶ ଦୁର୍ବଳ । ସରକାର ଭାଙ୍ଗିବା ଲାଗି ପ୍ରଭାବଶାଳୀ ହେବ ନାହିଁ । ଅନାସ୍ଥା ପ୍ରସ୍ତାବ ଆଣିବା ପରେ କଂଗ୍ରେସ ଦଳୀୟ ହ୍ବିପ ଜାରି କରିଛି । ଅନ୍ଯପଟେ ବିଧାନସଭାରେ ଏବେ ବିଜେପିର ୭୮, ବିଜେଡିର ୫୦, କଂଗ୍ରେସ ୧୪, ସ୍ବାଧୀନ ୩, ସିପିଆଇ(ଏମ)ର ଜଣେ ବିଧାୟକ ଅଛନ୍ତି । ନୂଆପଡ଼ା ବିଧାୟକଙ୍କ ପରଲୋକ ପରେ ଏବେ ଏହି ଆସନ ଖାଲି ପଡିଛି ।