ପାରାଦୀପରେ ୨୬ରେ ଉର୍ଦ୍ଧ୍ଵ ପେଣ୍ଡାରେ ପୂଜା ପାଉଛନ୍ତି ବିଶ୍ଵକର୍ମା

ପାରାଦୀପ : ସୁଉଚ୍ଚ ତୋରଣ । ଲାଇଟଗେଟ ସାଙ୍ଗକୁ ନାଲି ନେଳି ଆଲୋକମାଳାରେ ଝଲସୁଛି ରାସ୍ତାଘାଟ । ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଇଁ ସଜେଇ ହୋଇଛି ବନ୍ଦରନଗରୀ ପାରାଦୀପ । ଗୋଟିଏ ସ୍ଥାନରେ ୨୬ ରୁ ଉର୍ଦ୍ଧ୍ଵ ମଣ୍ଡପରେ ପୂଜା ପାଉଛନ୍ତି ଦେବଶିଳ୍ପୀ । ସୁଉଚ୍ଚ ଆକର୍ଷଣୀୟ ତୋରଣ ଦେଖିବାକୁ ଲାଗୁଛି ଲୋକଙ୍କ ଭିଡ । ଗତକାଲି ପ୍ରଥମ ଦିନରେ ପୂଜା ପେଣ୍ଡାଲ ସମେତ ଚଟପଟି ଖାଦ୍ୟ ଓ ଘରକରଣା ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । କେତେକ ପୂଜା ପେଣ୍ଡାଲରେ ବିଭିନ୍ନ ଗଛର ଚାରା ବଣ୍ଟନ କରାଯାଇଛି । …
ଆଠଦିନ ଧରି ଚାଲିବାକୁ ଥିବା ପାରାଦୀପର ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ବ୍ୟବସ୍ଥା ସହିତ ଗାଡ଼ି ପାର୍କିଂ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ପ୍ରତ୍ୟେକ ମଣ୍ଡପ ନିକଟରେ ପାଖାପାଖି ୧୦ ଜଣ ପୋଲିସ ଷ୍ଟାଫ ନିୟୋଜିତ ହେବା ସହିତ ପକେଟ୍ ମାର ରୋକିବା ପାଇଁ ସାଧା ପୋଷାକଧାରୀ ପୋଲିସ ନିୟୋଜିତ ହୋଇଛନ୍ତି। ଚଳିତ ବର୍ଷ ପ୍ରତ୍ୟେକ ମଣ୍ଡପ ନିକଟରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରିଛି ପ୍ରଶାସନ । ଆଜି ଠାରୁ ବିଭିନ୍ନ ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପୂଜା ପାଇଁ ଆସନ୍ତା ୭ ଦିନ ପର୍ଯ୍ଯନ୍ତ ପାରାଦୀପରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବା ଆକଳନ କରାଯାଇଛି ।