ସରକାରଙ୍କ କୋଚିଂ ବ୍ୟବସ୍ଥାକୁ ମୁହଁ ମୋଡୁଛନ୍ତି ଛାତ୍ରଛାତ୍ରୀ…
1 min read
ଭୁବନେଶ୍ୱର : ଶିଶୁ ବାଟିକା ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଶିକ୍ଷା- ସବୁଠି ବିଫଳତା । ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇଁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ କୋଚିଂ ବ୍ୟବସ୍ଥା ହୋଇଛି। ବିଜ୍ଞାନ ପିଲାଙ୍କ ପାଇଁ ଜେଇଇ, ନିଟ କୋଚିଂର ବ୍ୟବସ୍ଥା ହୋଇଥିବା ବେଳେ କଳା ଓ ବାଣିଜ୍ୟ ପାଇଁ ଏକାଡେମିକ ସପୋର୍ଟ ବ୍ୟବସ୍ଥା ଚାଲୁ ରହିଛି। ସେଥିରେ ଚାପ୍ଟର ଅନୁଯାୟୀ ପାଠପଢା, ପ୍ରୋବ୍ଲେମ, ପୂର୍ବ ପ୍ରଶ୍ନପତ୍ରର ସଲଭ୍ ହେଉଛି। କିନ୍ତୁ ଗତ ୫ ରୁ ୬ ମାସ ହେଲାଣି ଏସବୁରେ ପଢିବା ପାଇଁ ପିଲାଙ୍କ ଆଗ୍ରହ ନାହିଁ। ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଳି ସବୁଠୁ ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ଏହି କୋଚିଂରେ ଗୋଟିଏ ହେଲେ ବି ପିଲା ଆସୁ ନାହାନ୍ତି। କିନ୍ତୁ ସମାନ ଶିକ୍ଷା ବାହାରେ ପଢ଼ୁଛନ୍ତି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ସକାଳ ସାଢେ ସାତରୁ ସାଢ଼େ ଦଶଟା ପର୍ଯ୍ୟନ୍ତ ନିଟ, ଜେଇଇ ଓ ଦିନ ୨ ଟାରୁ ୩ ଟା ୩୦ ଯାଏ ଅନ୍ୟ ପରୀକ୍ଷା ପାଇଁ କ୍ଲାସ ହେଉଥିଲା। ଆରମ୍ଭ ବେଳେ ପିଲା ଆଡ଼ମିଶନ ବି ନେଇଥିଲେ। କିନ୍ତୁ ଏବେ କ୍ଲାସରେ ପିଲାଙ୍କ ସଂଖ୍ୟା ଶୂନ। ପିଏମ ଇ-ବିଦ୍ୟା ଭଳି କେନ୍ଦ୍ରର ଯୋଜନା ପାଇଁ ଟିଭି ତଥା ଆନୁସଙ୍ଗିକ ସାମଗ୍ରୀ ଥିଲେ ବି ମିଶନ ହୋଇଛି ବିଫଳ।
ଅନଲାଇନ ପଢା ଯୋଗୁ କୋଚିଂ ବ୍ୟବସ୍ଥା ବିଫଳ ହେଉଥିବା କହିଛନ୍ତି କର୍ତ୍ତୃପକ୍ଷ। ବାହାରେ ଘରୋଇ କୋଚିଂ ସେଣ୍ଟରରେ ରିଅଲ ମୋଡ଼ରେ ପିଲା ପଢୁଥିବାବେଳେ ଏଠି ଭରଚୁଆଲ ମୋଡ଼ରେ ପଢୁଛନ୍ତି। ଫଳରେ ପିଲା ମାଗଣା ହେଲେ ମଧ୍ୟ ଏଠାରେ ପଢିବାକୁ ଆଗ୍ରହୀ ନୁହନ୍ତି। ଏବେ ଅନଲାଇନ ମାଧ୍ୟମରେ କ୍ଲାସ ୱାନ ୱେ ଟ୍ରାଫିକ ଭଳି ହେଉଛି। ପିଲାଙ୍କ ଡାଉଟ କ୍ଲିୟର ହେଉ ନାହିଁ। ପିଲାଙ୍କୁ ପାଠର ଲିଙ୍କ ପଠାଇବାକୁ ସରକାର କହିବା ପରେ ଲିଙ୍କ ପଠାଗଲା। ମାତ୍ର ଅଳ୍ପ କିଛି ପିଲାଙ୍କୁ ଛାଡିଲେ କୌଣସି ପିଲା ଏହାକୁ ଦେଖିଲେନି। ଶିକ୍ଷା ଜ୍ୟୋତି ପୋର୍ଟାଲରେ କ୍ଲାସ ଗୁଡିକର ଭିଡିଓ ଅପଲୋଡ଼ ହେଉଛି କିନ୍ତୁ ଏହା ନିଷ୍ଫଳ। ଆଦିବାସୀ, ଏସସି ଓ ପଛୁଆ ବର୍ଗଙ୍କ ପାଇଁ ଚାଲୁଥିବା ବିଭିନ୍ନ ଶିକ୍ଷା ସ୍କିମକୁ ବନ୍ଦ କରିବା ଓ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ଶିକ୍ଷା ବ୍ୟବସ୍ଥା ଭୁଶୁଡୁଥିବା ଅଭିଯୋଗ ହୋଇଛି। ୨୦୦୭ -୦୮ରେ ପ୍ରତି କଲେଜରେ ମେରିଟ ଅପଗ୍ରେଡେସନ କ୍ଲାସ ହେଉଥିଲା। ସେତେବେଳେ ପିଲାମାନେ ଆଗ୍ରହର ସହ ଆସୁଥିଲେ। କିନ୍ତୁ ଏବେ ଯେଉଁ ବ୍ୟବସ୍ଥା ହେଉଛି ତାହା ଗ୍ରହଣୀୟ ହେଉ ନାହିଁ।