ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମର୍ଡର ମିଷ୍ଟ୍ରିର ଖୁଲାସା କଲା କମିଶନରେଟ୍ ପୋଲିସ

ନନ୍ଦିଘୋଷ ବ୍ୟୁରୋ : ହେଟ୍ ଷ୍ଟୋରିର ଖଳନାୟକ ଦଗାଦିଆ ଦୀପକ । ଟଙ୍କା ପାଇଁ ନେଇଗଲା ଦ୍ୱିତୀୟ ସ୍ତ୍ରୀର ଜୀବନ । ୟୁନିଟ ୬ ରେ ମାରିଲା, କେନ୍ଦୁଝର ଜଙ୍ଗଲରେ ପୋତିଦେଲା । ଖାକି ବର୍ଦ୍ଦିରେ ଲାଗିଲା କଳଙ୍କର ଦାଗ । ୬ ତାରିଖରେ ନିଖୋଜ ଏତଲା ଆଉ ୧୭ ତାରିଖରେ ମାଟି ତଳୁ ମିଳିଲା ମୃତଦେହ। ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ ଉଦ୍ଧାର ପରେ, ମର୍ଡର ମିଷ୍ଟ୍ରିର ଖୁଲାସା କରିଛି ସ୍ପେଶାଲ ସ୍କ୍ୱାଡ । ଏ ହେଉଛି ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ । ସିପି ଅଫିସର ଆକାଉଣ୍ଟସ ସେକ୍ସନରେ କିରାଣୀ ଭାବେ କାର୍ଯ୍ୟରତ । ୩ ବର୍ଷ ତଳୁ ଶୁଭମିତ୍ରାଙ୍କ ସହ ସମ୍ପର୍କ ପରେ ଜୁଲାଇ ୭, ୨୦୨୪ରେ ତାଙ୍କୁକୋର୍ଟ ମ୍ୟାରେଜ କରିଥିଲା । ଗତ ୬ ତାରିଖରେ ଡ୍ୟୁଟି ଅଧାରୁ ହଠାତ ଦୀପକ ଶୁଭମିତ୍ରାଙ୍କୁ ୟୁନିଟ ୬ ରୋଡ଼ ନମ୍ବର ୮ କୁ ନେଇଥିଲା । ସେଠାରେ ନିଜର ଏହି ହୋଣ୍ଡା ସିଟି କାରରେ ଶୁଭମିତ୍ରାଙ୍କୁ ବସାଇ ତଣ୍ଟି ଚିପି ହତ୍ୟା କରିଥିଲା ଦୀପକ । ପରେ ମୃତଦେହକୁ ନେଇ କେନ୍ଦୁଝର ଘଟଗାଁ ଥାନା ଅନ୍ତର୍ଗତ କୁସୁନପୁର ଜଙ୍ଗଲରେ ପୋତିଦେଇଥିଲା । ପ୍ରାୟ ଶହେ ସିସିଟିଭି ଯାଞ୍ଚ,ହ୍ୟୁମାନ ଇଣ୍ଟେଲିଜେନ୍ସ, ପଲ୍ଲୀଗ୍ରାଫ ଟେଷ୍ଟ ପରେ କରିତକର୍ମାର କାରନାମା ପଦାକୁ ଆସିଛି ।
ବିବାହ କରିବା ପୂର୍ବରୁ ମଥୁରା, ବୃନ୍ଦାବନ ଓ ପୁରୀ ବୁଲିଥିଲେ ଦୁହେଁ । ଦୀପକ ମଧ୍ୟ ଘର ତୋଳିବା ପାଇଁ ଶୁଭମିତ୍ରାଙ୍କ ଠାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଧାର ସୂତ୍ରରେ ନେଇଥିଲା । ବିବାହ ପରେ ତାଙ୍କ ନାଁରେ କୋଟିଏ ଟଙ୍କାର ଇଂସ୍ୟୁରାନ୍ସ ମଧ୍ୟ କରିଥିଲା । ଏଣୁ ଇଂସ୍ୟୁରାନ୍ସ ଟଙ୍କା ପାଇବା ଆଶାରେ ସେ ପତ୍ନୀଙ୍କୁ ରାସ୍ତାରୁ ହଟାଇଥିବା ସନ୍ଦେହ କରାଯାଉଛି । ସବୁଠାରୁ ସାଙ୍ଘାତିକ କଥା ହେଉଛି କୁସୁନପୁରରେ ନିଜ ସମ୍ପର୍କୀୟ ଭାଇ ସହାୟତାରେ ମୃତଦେହ ପୋତିଦେବା ପରେ, ପୂର୍ବ ଭଳି ଅଫିସରେ ଆସି କାମ କରିଥିଲା । କେହି ଯେପରି ସନ୍ଦେହ ନକରିବେ, ସେଥିପାଇଁ ମିଛିମିଛିକା କାନ୍ଦିବା ସହ ପୋଲିସ ତଦନ୍ତରେ ବି ସହଯୋଗ କରୁଥିଲା । ଝିଅ ଘର ପରିବାରର ବାରମ୍ବାର ଅଭିଯୋଗ ଓ ସିଡ଼ିଆର ରିପୋର୍ଟ, ଅଭିଯୁକ୍ତର ଭଣ୍ଡାଫୋଡ କରିଦେଇଥିଲା । ୟୁନିଟ ୬ର ଜାମୁକୋଳି ଗଛ ମୂଳରେ ହତ୍ୟା ଠାରୁ କେନ୍ଦୁଝରର କଇଁଆ ଗଛ ମୂଳରେ ଶବ ପୋତିବା ପର୍ଯ୍ୟନ୍ତ । ପରେ ଶବ ଉଦ୍ଧାର ପର୍ଯ୍ୟନ୍ତ ଲାଗିଥିବା ୧୨ ଦିନ କମିଶନରେଟ ପୋଲିସ ପାଇଁ ବେଶ ଚ୍ୟାଲେଞ୍ଜି ଥିଲା । ଏ କାହାଣୀ କୌଣସି ବଲିଉଡ ଫିଲ୍ମ କାହାଣୀ ଠୁ କମ ନୁହେଁ । ଅପରାଧୀ ଯେତେ ଚାଲାକ ହେଲେ ମଧ୍ୟ ପୋଲିସ ତା ଠାରୁ ଦୁଇ ପାଦ ଆଗରେ ବୋଲି ଏ ଘଟଣାରେ ପ୍ରମାଣିତ ହୋଇଛି । କିନ୍ତୁ ରାଜଭବନ ଠାରୁ ମାତ୍ର ଦୁଇ ଶହ ମିଟର ଦୂରରେ ହତ୍ୟା ଘଟଣା, ରାଜଧାନୀର ଆଇନଶୃଙ୍ଖଳା କୁ ନେଇ ସୃଷ୍ଟି କରିଛି ପ୍ରଶ୍ନବାଚୀ ।