spot_img

Latest Posts

ରଙ୍ଗମଞ୍ଚରେ ଉଜ୍ଜୀବିତ ହେଲା ଗୀତିନାଟ୍ୟ, ଦର୍ଶକଙ୍କ ମନମୋହିଲା ‘ମାଟିର ମଣିଷ’

ଭୁବନେଶ୍ୱର : ଦର୍ଶକଙ୍କ ମନମୋହିଲା ‘ମାଟିର ମଣିଷ’। ପୁଣି ରଙ୍ଗମଞ୍ଚରେ ଉଜ୍ଜୀବିତ ହେଲା ଗୀତିନାଟ୍ୟ। କଟକର ଜଣାଶୁଣା ସାଂସ୍କୃତିକ ଅନୁଷ୍ଠାନ ସଂସ୍କୃତି ବିହାର’ ପକ୍ଷରୁ  ରବୀନ୍ଦ୍ର ମଣ୍ଡପରେ ଗୀତିନାଟ୍ୟ ‘ମାଟିର ମଣିଷ’ ପରିବେଷିତ ହୋଇଯାଇଛି। ଗୀତିନାଟ୍ୟଟି ଥିଲା ପ୍ରଖ୍ୟାତ ଔପନ୍ୟାସିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କାଳଜୟୀ ରଚନା ‘ଅମର’ ଉପନ୍ୟାସର ରୂପାନ୍ତର ।  ଏହାକୁ ଗୀତିନାଟ୍ୟର ରୂପ ଦେଇଥିଲେ ସ୍ବର୍ଗତ ଗୁରୁ ନାରାୟଣ ସିଂହ । ନାଟକର ନିର୍ଦ୍ଦେଶନା ଦେଇଥିଲେ ଚୌଧୁରୀ ଭାରତୀକୃଷ୍ଣ ଦାଶ । ବହୁଦିନ ତଳୁ ଗୀତିନାଟ୍ୟର ଯୁଗ ଶେଷ ହୋଇ ଯାଇଥିଲେ ମଧ୍ୟ ରବୀନ୍ଦ୍ର ମଣ୍ଡପ ମଞ୍ଚରେ ଦେଖିବାକୁ ମିଳିଥିଲା ଭିନ୍ନ ଏକ ଚିତ୍ର । ଗୀତିନାଟ୍ୟର ବାଦ୍ୟ-ସଂଗୀତ ଓ ଗୀତଗୁଡ଼ିକ ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରିଥିଲା। କଳାକାରମାନଙ୍କ ପୌରାଣିକ ଯୁଗର ବେଶଭୂଷା ଓ ନିଖୁଣ ଅଭିନୟ ବି ଦର୍ଶକଙ୍କୁ ବିମୋହିତ କରିଥିଲା ।

‘ମାଟିର ମଣିଷ’ ଭାଇ ଭାଇର କାହାଣୀକୁ ନେଇ ଆଧାରିତ । ପୈତୃକ ସମ୍ପତି ପାଇଁ ଭାଇ ଭାଇରେ ଲାଗୁଛି ଲଢେଇ । ଶେଷରେ ତ୍ୟାଗ ଆଗରେ ବନ୍ଧା ପଡ଼ିଯାଇଛି ଲୋଭ । ବଡ଼ ଭାଇକୁ ଠିକ୍ ବୁଝିଛି ସାନ ଭାଇ। ଶେଷରେ ପୁଣି ସମ୍ପତି ଲୋଭ ଛାଡ଼ି ଭାଇ ଭାଇର ସେଇ ନିବିଡତାରେ ବାନ୍ଧି ହୋଇପାରିଛନ୍ତି । ଏଭଳି କିଛି ଛାଇ ଆଲୁଅ ଓ ପ୍ରେମ ପ୍ରତାରଣା ଛଳନାକୁ ନେଇ ଏହି ଗୀତିନାଟ୍ୟ ଦର୍ଶକଙ୍କୁ ଆନ୍ଦୋଳିତ କରିଛି । ଓଡ଼ିଶାର ପ୍ରାଚୀନ କଳା ସାହିତ୍ୟ କେବେ ମରିପାରେନା ତାହା ସବୁବେଳେ, ସବୁକାଳେ ଚିରସବୁଜା । ସ୍ବର୍ଗତ ଗୁରୁ ନାରାୟଣ ସିଂହଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏହି ଉତ୍ସବରେ ଆଜି ସନ୍ଧ୍ୟାରେ ପରିବେଷଣ ହେବ ଗୀତିନାଟ୍ୟ ‘କୀଚକ ବଧ’।

Latest Posts

Don't Miss