ସାର ସଂକଟରେ ଘାଣ୍ଟି ହେଉଛି ଚାଷୀ, ଜୋରଦାର ଲଢେଇ ଆହ୍ବାନ ଦେଲେ ବିଜେଡି ସୁପ୍ରିମୋ

ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କ ହକ ପାଇଁ ଲଢେଇ ଜାରି ରଖିବ ବିଜେଡି । ରାଜ୍ୟରେ ସାର ସଙ୍କଟ ଲାଗି ରହିଥିବା ବେଳେ ଚାଷୀମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ ନକଲେ ଚାଷୀଙ୍କ ହକ ପାଇଁ ବିଜେଡିର ସ୍ୱର ଆହୁରି ଶାଣିତ ହେବ ବୋଲି ବିରୋଧୀ ନେତା ନବୀନ ପଟ୍ଟନାୟକ ଚେତାଇ ଦେଇଛନ୍ତି । ରାଜଭବନ ଆଗରେ ବିଜେଡି ଆନ୍ଦୋଳନ କରିବା ପରେ ଏ ପ୍ରସଙ୍ଗରେ ବିଧାନସଭାରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ।
ଚୁପ ବସିବନି ବିଜେଡି । ଚାଷୀ ସମସ୍ୟାର ସମାଧାନ ନହେବା ଯାଏଁ ଜାରି ରହିବ ପ୍ରତିବାଦ । ସାର ପାଇଁ ଏବେ ରାଜ୍ୟର ଚାଷୀମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । କେଉଁଠି ଘଣ୍ଟା ଘଣ୍ଟା ଲମ୍ବା ଧାଡ଼ି ତ କେଉଁଠି ସାରା ରାତି ଅନିଦ୍ରା ପରେ ବି ସାର ମିଳୁନାହିଁ । ଚାଷ ସମୟରେ ସାର ନପାଇ ଚାଷୀମାନେ ହତାଶ ହୋଇ ପଡ଼ିଛନ୍ତି । ସବୁ ଜାଣି ବି ସରକାର ନିରବ ରହିବା ସବୁଠୁ କ୍ଷୋଭର ବିଷୟ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି । ଚାଷୀଙ୍କ ସମସ୍ୟା ରାଜ୍ୟ ସରକାର ସମାଧାନ କରୁ ନଥିବାରୁ ନବୀନ ଉଦବେଗ ପ୍ରକାଶ କରିବା ସହ ସରକାରଙ୍କୁ କଡା ଚେତାବନୀ ଦେଇଛନ୍ତି । ଯଥାଶୀଘ୍ର ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ ନକଲେ ଚାଷୀଙ୍କ ହକ୍ ପାଇଁ ବିଜୁ ଜନତା ଦଳର ସ୍ୱର ଆହୁରି ଶାଣିତ ହେବ ବୋଲି ନବୀନ କହିଛନ୍ତି । ସାର ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦଳ ଗଣଧାରଣା ଦେବା ସହ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ନବୀନ କହିଛନ୍ତି । ବିଜେଡି କହିଛି ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ଆଗକୁ ଚାଷୀ ସମସ୍ୟା ନେଇ ଦଳ ଜୋରଦାର ଲଢେଇ କରିବ ।
ସାର ସଙ୍କଟ ନେଇ ସାରା ରାଜ୍ୟରେ ହାହାକାର ପଡ଼ିଥିବା ବେଳେ ଶାସକ ଦଳର କିନ୍ତୁ ନିଘା ନାହିଁ । ସରକାର ବାରମ୍ବାର କହୁଛନ୍ତି ରାଜ୍ୟରେ ସାରର ଅଭାବ ନାହିଁ । ହେଲେ ରାଜ୍ୟ ସାରା ସାର ନପାଇ ଚାଷୀ ରାଜରାସ୍ତାରେ ପ୍ରତିବାଦ କରୁଛି । ବିଜେପି ବିଧାୟକ ବାବୁ ସିଂ ବି ସମାନ ଯୁକ୍ତି ବାଢିଛନ୍ତି । ଚାଷୀଙ୍କ ସମସ୍ୟା ପ୍ରତି ସରକାର ସଚେତନ ଥିବା ସେ କହିଛନ୍ତି ।
ସାର ସଙ୍କଟ ନେଇ ରାଜଭବନ ଆଗରେ ବିଜେଡି ଗର୍ଜନ କରିବା ପରେ ବି ସରକାର ଚାଷୀଙ୍କ ସମସ୍ୟାର ସମାଧାନ ନକରିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା । ଚାଷୀଙ୍କୁ ସାର ନମିଳିବା ଯାଏଁ ବିଜେଡି ଆନ୍ଦୋଳନ ଜାରୀ ରଖିବ ବୋଲି ଚେତାବନୀ ଦେଇଛି ।