ଗର୍ଭରେ ଯାଆଁଳା, ପ୍ରସବ ଗୋଟିଏ ପିଲା ! ପ୍ରସବ ହେଉ ହେଉ ପିଲା ଚୋରି ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ସୋନୋଗ୍ରାଫି ବେଳେ ଡାକ୍ତର କହିଥିଲେ, ଜାଆଁଳା ସନ୍ତାନ ହେବ। କିନ୍ତୁ ପ୍ରସବ ହେଲା ଗୋଟିଏ ପିଲା। ଏହା ପରେ ପରିବାର ଲୋକେ ପ୍ରଶ୍ନ କରିଛନ୍ତି, ଆଉ ଗୋଟିଏ ପିଲା କୁଆଡ଼େ ଗଲା। ଏପରିକି ସେମାନେ ନବରଙ୍ଗପୁର ଉମରକୋଟ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ଏହି ଅଭିଯୋଗ କରିଛନ୍ତି, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଆଦିପାରା ଗାଁର ରାକେଶ ଗଣ୍ଡ। ସେ କହିଛନ୍ତି, ତାଙ୍କ ସ୍ତ୍ରୀଙ୍କ ଗର୍ଭରେ ଯାଆଁଳା ସନ୍ତାନ ଥିବା କହିଥିଲେ ଡାକ୍ତର।

ଗତ ଜୁନ ମାସ ୫ ତାରିଖରେ ହୋଇଥିବା ସୋନୋଗ୍ରାଫିରୁ ଏହା ଜଣାପଡି଼ଥିବା ତାଙ୍କୁ କୁହାଯାଇଥିଲା। ଯାଆଁଳା ପିଲା ପାଇଁ କୁନ୍ତୀଙ୍କୁ ରେଡକାର୍ଡ ସହ ସ୍ୱତନ୍ତ୍ର ଚିକିତ୍ସାର ବ୍ୟବସ୍ଥା କରାଯାଇଥିଲା। ଏଇ ମାସ ୩ ତାରିଖରେ ଗର୍ଭଯନ୍ତ୍ରଣା ହେବାରୁ କୁନ୍ତୀଙ୍କୁ ପ୍ରଥମେ ହାଟଭରଣ୍ଡୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ରେଡ କାର୍ଡ ଓ ଜାଆଁଳା ଛୁଆ ଥିବା ଯୋଗୁଁ ତାଙ୍କୁ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରେଫର କରିଥିଲେ ଡାକ୍ତର। କିନ୍ତୁ ଉମରକୋଟରେ ପ୍ରସବ ପରେ ମେଡିକାଲ କର୍ତ୍ତୃପକ୍ଷ କହିଥିଲେ, ଗୋଟିଏ ପିଲା ପ୍ରସବ ହୋଇଛି। ପରିବାର ଲୋକେ ଏବେ ପ୍ରଶ୍ନ କରିଛନ୍ତି, ଆଗରୁ ତ ଯାଆଁଳା ପିଲା ଥିବା କୁହାଯାଇଥିଲା। ଆଉ ଏକ ପିଲା କୁଆଡ଼େ ଗଲା। ପ୍ରସବ ପରେ ଡାକ୍ତରଖାନାରୁ ଗୋଟିଏ ପିଲାକୁ ଚୋରି କିମ୍ବା ବିକ୍ରି କରି ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଉମରକୋଟ ଥାନାରେ ଛୁଆ ଚୋରି ଅଭିଯୋଗ ନେଇ ଏତଲା ମଧ୍ୟ ଦେଇଛନ୍ତି। ଏ ସଂପର୍କରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପଣ୍ଡା କହିଛନ୍ତି, ମୋ ପାଖରେ ସେମିତି କୌଣସି ଅଭିଯୋଗ ଆସିନାହିଁ।