ମେଡିକାଲରୁ ନବଜାତ ଉଭାନ; ଅଢେଇ ମାସ ହେଲାଣି ମିଳୁନି ନବଜାତର ସନ୍ଧାନ

ନନ୍ଦିଘୋଷ ବ୍ୟୁରୋ : ମେଡିକାଲରୁ ନବଜାତ ଉଭାନ । ଅଢେଇ ମାସ ହେଲାଣି ମିଳୁନି ନବଜାତର ସନ୍ଧାନ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ନବଜାତ ଶିଶୁର ସନ୍ଧାନ ପାଇଁ ମାଥିଲି ସବଡିଭିଜନ ମେଡିକାଲର ଭାରପ୍ରାପ୍ତ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକ । କମାରପାଲି ଗାଁର ଲସୁ କବାସୀଙ୍କ ସ୍ତ୍ରୀ ଆଡମେ ପଡିଆମୀ ଗତ ଜୁଲାଇ ୧୮ ତାରିଖରେ ପ୍ରସବ ଯନ୍ତ୍ରଣାରେ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତର ସ୍ଥାନାନ୍ତର କରିଥିଲେ । ସେଠାରେ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ । ପ୍ରସବ ପରେ ଆଉ ନବଜାତକୁ ପରିବାର ଲୋକଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ହସ୍ତାନ୍ତର କରିନଥିବା ଅଭିଯୋଗ କରିଛନ୍ତି ଆଡମେଙ୍କ ସ୍ବାମୀ ଲସୁ କବାସୀ । ସେହି ଦିନରୁ ଆଉ ନବଜାତର ସନ୍ଧାନ ମିଳିପାରୁନାହିଁ । ଜିଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ନିଖୋଜକୁ ନେଇ ତଦନ୍ତ ପାଇଁ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ ।