କାଳ ହୋଇ ମାଡି ଆସିଲା ଟ୍ରକ୍ , ୧୨ରୁ ୧୫ ଜଣଙ୍କୁ ଚକାତଳେ ଚାପିଦେଲା

1 min read

ନନ୍ଦିଘୋଷ ବ୍ୟୁରୋ : ୧୦ରୁ ୧୫ ଜଣଙ୍କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍ । ୨ ଜଣଙ୍କ ମୃତ୍ୟୁ, ଅନେକ ଆହତ । ମଧ୍ୟପ୍ରଦେଶର ଇନ୍ଦୋରର ଏୟାରପୋର୍ଟ ରୋଡ୍‌ର ଶିକ୍ଷକ ନଗରରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ସୋମବାର ସନ୍ଧ୍ୟାରେ ଘଟିଛି ଏହି ଦୁର୍ଘଟଣା । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ଦୁର୍ଘଟଣା ସମୟରେ ଏକ ବାଇକ୍ ଟ୍ରକ୍ ତଳେ ଫସି ଯାଇଥିଲା । ଟ୍ରକ୍ ଟି ବାଇକ୍‌କୁ ବହୁତ ଦୂର ପର୍ଯ୍ୟନ୍ତ ଟାଣି ନେଇଥିଲା । ଯାହା ଫଳରେ ବାଇକଟିରେ ନିଆଁ ଲାଗି ଟ୍ରକଟି ମଧ୍ୟ ଜଳିଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି । ବର୍ତ୍ତମାନ ପୋଲିସ ଅଞ୍ଚଳକୁ ଘେରାବନ୍ଦୀ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ।

ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ନିୟନ୍ତ୍ରଣ ହରାଇ ପ୍ରଥମେ ଏକ ଇ-ରିକ୍ସା ସମେତ ଅନେକ ଗାଡ଼ିକୁ ଧକ୍କା ଦେଇଥିଲା। ପରେ ଏକ ବାଇକ ଟ୍ରକତଳେ ରହି ଘୋଷଡି ହୋଇ କିଛି ବାଟ ଯିବାରୁ ଜଳିଯାଇଥିଲା । ସେଥରୁ ନିଆଁ ବାହାରି ଟ୍ରକ ଟି ବି ଜଳିଯାଇଥିଲା । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଟ୍ରକର ବ୍ରେକ୍ କାମ କରୁନଥିଲା ଏବଂ ଡ୍ରାଇଭର ମଦ୍ୟପ ଅବସ୍ଥାରେ ଥିଲେ । ହଠାତ୍ ଟ୍ରକର ଟାୟାରରୁ ଧୂଆଁ ଏବଂ ନିଆଁ ବାହାରିବାକୁ ଲାଗିଲା । ଯାହା ପରେ ଏହା ଲୋକଙ୍କୁ ଧକ୍କା ଦେବା ଆରମ୍ଭ କଲା। ଅନେକ ଲୋକ ତଳେ ପଡ଼ିଗଲେ। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ମୃତଦେହ ରାସ୍ତାରେ ବିଛାଡି ହୋଇ ପଡିଥିଲା । ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଇନ୍ଦୋରରେ ଟ୍ରକ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ଆହତଙ୍କ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।