ଆସିଲା ସିବିଏସଇର ନୂଆ ଗାଇଡଲାଇନ: ଏଣିକି ୭୫ ପ୍ରତିଶତ ଉପସ୍ଥାନ ନ ଥିଲେ ବୋର୍ଡ ପରୀକ୍ଷା ଦେଇପାରିବେନି
1 min read
ଆସିଲା ସିବିଏସଇର ନୂଆ ଗାଇଡଲାଇନ । ଏଣିକି ୭୫ ପ୍ରତିଶତ ଉପସ୍ଥାନ ନ ଥିଲେ ବୋର୍ଡ ପରୀକ୍ଷା ଦେଇପାରିବେନି ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏ ନେଇ ଆଜି ସିବିଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗାଇଡଲାଇନ ଅନୁୟାୟୀ ନବମ ଓ ଦଶମ ଦୁଇବର୍ଷିଆ ପାଠ୍ୟକ୍ରମ ହୋଇଥିବାବେଳେ ଏକାଦଶ ଓ ଦ୍ବାଦଶ ମଧ୍ୟ ଦୁଇବର୍ଷିଆ ପାଠ୍ୟକ୍ରମ । ସେହି ଅନୁୟାୟୀ ବୋର୍ଡ ପରୀକ୍ଷା ଦେବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଦୁଇବର୍ଷ ଭିତରେ ସମସ୍ତ ବିଷୟରେ କ୍ଲାସ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ । ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ସିବିଏସଇ ପାଠ୍ୟକ୍ରମ ଅନୁଯାୟୀ ସ୍କୁଲରେ କ୍ଲାସ ଟେଷ୍ଟ ବାଧ୍ୟତାମୂଳକ । ଯଦି ଜଣେ ଛାତ୍ର କିମ୍ବା ଛାତ୍ରୀ ସମସ୍ତ କ୍ଲାସରେ ଉପସ୍ଥିତ ନ ରହେ ତାହେଲେ ସମ୍ପୃକ୍ତ ଛାତ୍ର କିମ୍ବା ଛାତ୍ରୀଙ୍କର କ୍ଲାସ ଟେଷ୍ଟ ପରୀକ୍ଷାର ମୂଲ୍ୟାଙ୍କନ କରାଯିବନି । ଇଣ୍ଟରନାଲ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଲେ ବି ସେମାନଙ୍କ ଫଳ ପ୍ରକାଶ ପାଇବ ନାହିଁ ।
ଏଭଳି କ୍ଷେତ୍ରରେ ସେମାନେ ନିୟମିତ ଛାତ୍ରଛାତ୍ରୀ ହୋଇଥିଲେ ବି ସେମାନଙ୍କୁ ‘ଏସେନସିଆଲ ରିପିଟ କାଟାଗୋରୀ’ ବର୍ଗରେ ଗଣାଯିବ । ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ସିବିଏସଇରେ ଅତିରିକ୍ତ ବିଷୟ ରଖି ପିଲା ପାଠ ପଢ଼ିପାରିବେ । ଏଥିପାଇଁ ଦଶମ ଶ୍ରେଣୀରେ ୫ଟି ବାଧ୍ୟତାମୂଳକ ବିଷୟ ସହିତ ଦୁଇଟି ଇଚ୍ଛାଧୀନ ଭାବେ ଅତିରିକ୍ତ ବିଷୟରେ ପାଠ ପଢ଼ିପାରିବେ । ସେହିପରି ଦ୍ବାଦଶ ବୋର୍ଡ ପରୀକ୍ଷା ପାଇଁ କେବଳ ଗୋଟିଏ ବିଷୟକୁ ଇଚ୍ଛାଧୀନ ଭାବେ ଅତିରିକ୍ତ ବିଷୟ ଭାବେ ଛାତ୍ରଛାତ୍ରୀ ବାଛିପାରିବେ । ସିବିଏସଇ ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟ ଯେ କୌଣସି ଅତିରିକ୍ତ ବିଷୟରେ ପିଲାଙ୍କୁ ପାଠ ପଢ଼ାଇବାକୁ ହେଲେ ସିବିଏସଇଠାରୁ ପ୍ରାକ ଅନୁମତି ନେବା ବାଞ୍ଛନୀୟ । ଏଥିପାଇଁ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ସେହି ଅତିରିକ୍ତ ବିଷୟ ପାଇଁ ଭିତ୍ତିଭୂମି, ଆବଶ୍ୟକ ଶିକ୍ଷକ, ଲାବୋରେଟରୀ ବ୍ୟବସ୍ଥା କରିବା ଆବଶ୍ୟକ । ଯଦି ଜଣେ ନିୟମିତ ଛାତ୍ର କିମ୍ବା ଛାତ୍ରୀ ଇଚ୍ଛାଧୀନ ବା ଅତିରିକ୍ତ ବିଷୟରେ ପୂର୍ବବର୍ଷରେ କମ୍ପାର୍ଟମେଣ୍ଟ କିମ୍ବା ଏସେନସିଆଲ ରିପିଟ୍ କାଟାଗୋରୀରେ ରହିବେ ତାହେଲେ ବୋର୍ଡ ପରୀକ୍ଷାରେ ତାଙ୍କୁ ଘରୋଇ ପରୀକ୍ଷାର୍ଥୀ ଭାବେ ଗଣାଯିବ । ସର୍ବୋପରି ଯେଉଁ ଛାତ୍ରଛାତ୍ରୀ ଏସବୁ ସର୍ତ୍ତ ପୂରଣ କରୁନଥିବେ ତାହେଲେ ସେମାନଙ୍କୁ ବୋର୍ଡ ପରୀକ୍ଷାରେ ଘରୋଇ ପରୀକ୍ଷାର୍ଥୀ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯିବ ।