ଶ୍ରୀମନ୍ଦିର ଧାଡ଼ି ଦର୍ଶନକୁ ନେଇ ଦ୍ବନ୍ଦ୍ବ: ବ୍ୟବସ୍ଥାକୁ ସେବାୟତ ଓ ବୁଦ୍ଧିଜୀବୀଙ୍କ ବିରୋଧ
1 min read
ଶ୍ରୀମନ୍ଦିର ଧାଡ଼ି ଦର୍ଶନକୁ ନେଇ ଦ୍ବନ୍ଦ୍ବ । ଗଠନ ହୋଇନି ଏସଓପି । ବ୍ୟବସ୍ଥାକୁ ସେବାୟତ ଓ ବୁଦ୍ଧିଜୀବୀଙ୍କ ବିରୋଧ । ସୃଷ୍ଟି ନହେଉ ୨୦୧୮ ପରି ଦଙ୍ଗା ସ୍ଥିତି । ଚାରିଧାମରୁ ଅନ୍ଯତମ ଧାମ ପୁରୀ । ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ବଢୁଛି ଭିଡ଼ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ରାଜ୍ୟ ସରକାର ନାଟ ମଣ୍ଡପ ଭିତରେ ସ୍ୱତ୍ରନ୍ତ୍ର ଧାଡ଼ି ଦର୍ଶନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ପରୀକ୍ଷାମୂଳକ ଭାବେ ଏହାକୁ ଲାଗୁ କରିବାକୁ ଗତ ପରିଚାଳନା କମିଟିରେ ଆଲୋଚନା ହୋଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଏକ ସବକମିଟି ଗଠନ କରାଯାଇଛି l ବ୍ୟବସ୍ଥା କରିବା ପୂର୍ବରୁ ସେବାୟତ ଓ ଅନ୍ୟମାନଙ୍କ ସହ ଆଲୋଚନା କରି ସ୍ବତନ୍ତ୍ର ଏସଓପି ଗଠନ ପାଇଁ ପ୍ରସ୍ତାବ ରହିଛି । ଏସଓପିର ଅନୁମୋଦନ ପରେ ପରୀକ୍ଷା ମୂଳକ ଭାବେ ଏହାକୁ ଲାଗୁ କରାଯିବ ।
ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେଲେ ଅନେକ ସମସ୍ୟା ଦେଖାଦେବ ବୋଲି କହିଛନ୍ତି ସେବାୟତ । ନାଟ ମଣ୍ଡପରୁ ହୁଣ୍ଡି ସ୍ଥାନାନ୍ତରଣ ସହ ମହାପ୍ରଭୁଙ୍କ ଭୋଗ ସମୟରେ ଅସ୍ଥାୟୀ ବ୍ୟାରିଗେଡ ବାରମ୍ବାର ହଟାଇବାକୁ ପଡ଼ିବ । ଏହାସହ ଶ୍ରୀମନ୍ଦିର ଦୈନନ୍ଦିନ ବିଧି ବ୍ୟବସ୍ଥା ମଧ୍ୟରେ ବ୍ୟାରିଗେଡ ଲଗାଇ ନାଟ ମଣ୍ଡପ ଭିତରେ ମହାପ୍ରଭୁଙ୍କର ଧାଡି ଦର୍ଶନ ବ୍ୟବସ୍ଥା ସମିଚୀନ ନୁହେଁ ବୋଲି ସେମାନେ ମତ ଦେଇଛନ୍ତି । ୨୦୧ ୮ରେ ଶ୍ରୀମନ୍ଦିରରେ ବ୍ୟାରିଗେଡ ଲଗାଇ ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀରେ ଦଙ୍ଗା ସୃଷ୍ଟି ହୋଇଥିଲା । ତେଣୁ ପୁଣି ଏପରି ନିଷ୍ପତି ପୁରୀରେ ଆଉ ଏକ ଦଙ୍ଗା ସୃଷ୍ଟି ନକରୁ ବୋଲି ସେମାନେ ମତ ଦେଇଛନ୍ତି । ଆଇନମନ୍ତ୍ରୀଙ୍କ ବିବୃତି ଅନୁସାରେ ଶ୍ରୀମନ୍ଦିରରେ ଆଜିଠାରୁ ଧାଡି ଦର୍ଶନ ବ୍ୟବସ୍ଥା ପ୍ରଚଳନ କରାଯିବା ପାଇଁ ଯୋଜନା ରହିଥିବାବେଳେ ଏହା କାର୍ଯ୍ୟକ୍ଷମ ହୋଇପାରି ନାହିଁ ।