ଆସନ୍ତା ୧୮ରୁ ଗାନ୍ଧୀ ମାର୍ଗରେ ଗୁରୁଗର୍ଜନ ସମାବେଶ ; ଗର୍ଜିବେ ଗୁରୁ

ଭୁବନେଶ୍ବର : ଆସନ୍ତା ୧୮ରୁ ଗାନ୍ଧୀ ମାର୍ଗରେ ଗୁରୁଗର୍ଜନ ସମାବେଶ । ଏ ନେଇ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଓଡିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଙ୍ଘ । ୧ ଜୁନ ୨୦୦୮ ରୁ ୦୧ ଜୁନ ୨୦୧୮ ମଧ୍ୟରେ ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀ ମାନଙ୍କୁ ଅନୁଦାନ ଦାବିରେ ବିରୋଧ ପ୍ରଦର୍ଶନ କରାଯିବ । ଗତ ଅଗଷ୍ଟ ୧୬ରୁ ଆରମ୍ଭ ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ରାଜ୍ୟର ପ୍ରତ୍ୟେକ ମହାବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ୨୮ ଦିନ ଧରି ଜାରିରହିଥିବା ବେଳେ ନିଦାବିଷ୍ଣୁ ସାଜିଛନ୍ତି ରାଜ୍ୟ ସରକାର । ୩୦ ଜିଲ୍ଲାର ୧୦୦୦ ରୁ ଉଦ୍ଧ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଅଣଦେଖା କରିବା ପ୍ରକୃତରେ ରାଜ୍ୟ ସରକାରଙ୍କର ଶିକ୍ଷା ପ୍ରତି ବୈମାତୃକ ମନୋଭାବ ବୋଲି ଅଭିଯୋଗ ହୋଇଛି ।

ଜାତୀୟ ଶିକ୍ଷାନୀତି – ୨୦୨୦କୁ ରାଜ୍ୟରେ ଲାଗୁକରି ସରକାର ବାହାଦୁରୀ ମାରୁଥିବା ବେଳେ ଦୀର୍ଘ ୨୮ ଦିନ ଧରି ମହାବିଦ୍ୟାଳୟରେ ଲକ୍ଷ ଲକ୍ଷ ପିଲାଙ୍କର ପାଠପଢ଼ା, ପରୀକ୍ଷା ଏବଂ ଖାତା ମୂଲ୍ୟାୟନ ଇତ୍ୟାଦି ଅଧ୍ୟାପକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ପ୍ରଭାବିତ ହୋଇଛି । ହେଲେ ଏହାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଏଡେଇ ଯାଇ ଖେଳକୁଦ ଏବଂ ନାଚଗୀତରେ ସମୟ ଅତିବାହିତ କରୁଥିବା ରାଜ୍ୟ ପାଇଁ ଏକ ଲଜ୍ଜାଜନକ ବିଷୟ ବୋଲି ସଙ୍ଘ କହିଛି । ଆସନ୍ତା ୧୮ ତାରିଖରେ ବିଧାନ ସଭାର ମୌସୁମୀ ଅଧୂବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ସଂଘ ସେହିଦିନ ମହାତ୍ମା ଗାନ୍ଧୀ ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ ସହିତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବ । ଦାବି ପୂରଣ ଦିଗରେ ମୁଖ୍ୟମନ୍ତ୍ରୀଙ୍କର ପ୍ରତ୍ୟକ୍ଷ ହସ୍ତକ୍ଷେପ ବିନା ଏହି ଆନ୍ଦୋଳନ ହଟିବ ନାହିଁ ବୋଲି କହିଛି ସଂଘ ।