ସେପ୍ଟେମ୍ବର ୨୨ରୁ ଶସ୍ତା ହେବ ଅତ୍ୟାବଶ୍ୟକ ସାମଗ୍ରୀ, ଲାଗୁ ହେବ ସଂଶୋଧିତ ଜିଏସଟି ଦର

ନନ୍ଦିଘୋଷ ବ୍ୟୁରୋ: ଚଳିତମାସ ୨୨ ତାରିଖରୁ ନୂଆ ଜିଏସଟି ଦର । ଖାସ୍ କରି ଅତ୍ୟାବଶକୀୟ ସାମଗ୍ରୀରେ ଜିଏଟି ହ୍ରାସ ପାଇଥିବାରୁ ଏହି ସବୁ ସାମଗ୍ରୀରେ ଲାଗିବ ସଂଶୋଧିତ ନୂଆ ଦର ପାଇଁ ଷ୍ଟିକର । ଏ ନେଇ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ । ପୂର୍ବରୁ ଅଧିକ ଜିଏସଟି ପଇଠ କରି ସାମଗ୍ରୀ କିଣିଥିବା ବ୍ୟବସାୟୀ ଇନପୁଟ ଟ୍ୟାକ୍ସ କ୍ରେଡିଟ ବାବଦରେ ଅତିରିକ୍ତ ଅର୍ଥ ଫେରିପାଇବେ । କିନ୍ତୁ ଯେଉଁ ବ୍ୟବସାୟୀଙ୍କର ଜିଏସଟି ନମ୍ବର ନାହିଁ ସେମାନେ କୌଣସି ଟିକସ ଅର୍ଥ ଫେରସ୍ତ ପାଇବେ ନାହିଁ ।

ସେପ୍ଟେମ୍ବର ୨୨ ତାରିଖରୁ ଶସ୍ତା ହେବ ଅତ୍ୟାବଶ୍ୟକ ସାମଗ୍ରୀ । ଲାଗୁ ହେବାକୁ ଯାଉଛି ସଂଶୋଧିତ ଜିଏସଟି ଦର । ଅତ୍ୟାବଶକୀୟ ସାମଗ୍ରୀରେ ଜିଏସଟି ୧୮ ଓ ୧୨ ପ୍ରତିଶତରୁ ଖସି ୫ ପ୍ରତିଶତକୁ ହ୍ରାସ କରାଯାଇଛି । ପୁରୁଣା ଏମଆରପି ସହିତ ପ୍ୟାକେଟରେ ନୂଆ ଦର ଷ୍ଟିକରିଂ ହେବ । ଗ୍ରାହକ ପୁରୁଣା ଓ ନୂଆ ଜିଏସଟି ଦରର ଫରକ ଜାଣି ପାରିବେ । ଜିଏସଟି ସ୍ଲାବରେ ପରିବର୍ତ୍ତନ ପରେ ପୂର୍ବରୁ କ୍ରୟ କିମ୍ବା ପ୍ୟାକିଂ ହୋଇସାରିଥିବା ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖିବାକୁ ବାଧ୍ୟତାମୂଳକ କରାଯାଇଛି । ଏ ନେଇ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ଜନବିତରଣ ବିଭାଗ ପକ୍ଷରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଉତ୍ପାଦକ, ପ୍ୟାକର୍ ଓ ଆମଦାନୀକାରୀଙ୍କୁ ନିର୍ଦ୍ଦେଶ ଜାରି କରିବା ପାଇଁ କୁହାଯାଇଛି । ଜିଏସଟି ସଂଶୋଧନ ପୂର୍ବରୁ ଗଚ୍ଛିତ ଥିବା ସାମଗ୍ରୀ ଉପରେ ନୂଆ ଦର ବା ଏମ୍ଆରପି ଉଲ୍ଲେଖ ରହିବା ଜରୁରୀ । ହ୍ରାସ ପାଇଥିବା ଜିଏସଟି ଅନୁସାରେ ନୂଆ ଏମ୍ଆରପି ଲାଗୁ ହେବା ଆବଶ୍ୟକ । ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା କିମ୍ବା ଷ୍ଟକ୍ ଶେଷ ହେବା ଯାଏଁ ଏହି ନିର୍ଦ୍ଦେଶନାମା ଲାଗୁ ହେବ । ପୁରୁଣା ମୂଲ୍ୟକୁ ନ ଲିଭାଇ ତାହା ନିକଟରେ ନୂଆ ମୂଲ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ । ମୂଲ୍ୟ ସଂଶୋଧନ ସମ୍ପର୍କରେ ଉତ୍ପାଦକ, ପ୍ୟାକର୍, ଆମଦାନୀକାରୀ ଖବର କାଗଜରେ ବିଜ୍ଞାପନ ସମ୍ବନ୍ଧରେ ଜଣାଇବା ସହ ନିଜର ଡିଲର ଓ ସ୍ଥାନୀୟ ମାପ ଓଜନ ବିଭାଗକୁ ନୋଟିସ ମାଧ୍ୟମରେ ଜଣାଇବେ । ଏହାଦ୍ବାରା ଖୁଚୁରା ମୁଦ୍ରାସ୍ଫୀତି ଖସିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ବ୍ୟବସାୟୀ ଯାହା ପୁରୁଣା ଦରରେ କିଣିଥିବେ, ତାକୁ ନୂଆ ଦରରେ ବିକ୍ରି କଲେ କେନ୍ଦ୍ର ସରକାର ଇନପୁଟ କ୍ରେଡିଟ ଦେବେ । ହେଲେ ଏଥିରେ କ୍ଷୁଦ୍ର ବ୍ୟବସାୟୀ ପ୍ରଭାବିତ ହେବେ । କାରଣ ଅଧିକାଂଶ କ୍ଷୁଦ୍ର ବ୍ୟବସାୟୀଙ୍କ ଜିଏସଟି ନମ୍ବର ନାହିଁ । ଯେଉଁଥିପାଇଁ ସେମାନେ କ୍ଷତିପୂରଣରୁ ବଞ୍ଚିତ ହେବେ । ପ୍ରଥମ କିଛି ଦିନ ସେମାନେ ବାଧ୍ୟ ହୋଇ ପୁରୁଣା ଦରରେ ବିକିବେ । ତା’ ପରେ ସ୍ଥିତି ସ୍ବାଭାବିକ ହେବାର ସମ୍ଭାବନା ରହିଛି । ହେଲେ ଏପରି ଦ୍ବନ୍ଦ୍ବ ଭିତରେ କେନ୍ଦ୍ର ସରକାର ଏମଆରପି ଉପରେ ନିର୍ଦ୍ଦିଷ୍ଟ ନିୟମ ଆଣିବାକୁ ବ୍ୟବସାୟୀ ଦାବି କରିଛନ୍ତି । ଯେଉଁଥିପାଇଁ କେହି ମନଇଚ୍ଛା ଏମଆରପି ଲେଖି ପାରିବେ ନାହିଁ । ଜିଏସଟି ସ୍ଲାବରେ ପରିବର୍ତ୍ତନ କରିବା ପାଇଁ ଗତ ୩ ତାରିଖରେ ଜିଏସଟି କାଉନସିଲ ନିଷ୍ପତ୍ତି ନେଇଛି । ଯେଉଁଥିରେ ବିଭିନ୍ନ ସାମଗ୍ରୀରେ ଜିଏସଟି ସଂଶୋଧନ କରାଯାଇଥିଲା ।