ଶକ୍ତି ପୀଠରେ ଆରମ୍ଭ ହେଲା ଶକ୍ତି ଆରାଧନା

ନନ୍ଦଘୋଷ ବ୍ୟୁରୋ: ଶାରଦୀୟ ଦୁର୍ଗା ପୂଜା ଅବସରରେ ଆଜିଠାରୁ ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ଷୋଡଷ ଦିନାତ୍ମକ ପୂଜା । ମୂଳାଷ୍ଟମୀରେ ମହାନଦୀରୁ ପବିତ୍ର ଜଳ ଅଣାଯାଇ କଟକଚଣ୍ଡୀ ଓ ଗଡଚଣ୍ଡୀଙ୍କଠାରେ ସହସ୍ର କୁମ୍ଭାଭିଷେକ ସହ ଘଟ ସ୍ଥାପନ କରାଯାଇଛି । ଆଜି କଟକଚଣ୍ଡୀଙ୍କ ସୁନା ବେଶ ଓ ଗଡଚଣ୍ଡୀଙ୍କୁ ଚାନ୍ଦୀ ବେଶ ଅନୁଷ୍ଠିତ ହେବ । ସେପଟେ କୋଣାର୍କ, ବାଙ୍କୀ, ଜଗତସିଂହପୁର, ଯାଜପୁର, ଘଟଗାଁରେ ମଧ୍ୟ ମାଆଙ୍କ ନିକଟରେ ଆରମ୍ଭ ହୋଛି ଷୋଳପୂଜା ।

ଆରମ୍ଭ ହେଲା ଶକ୍ତି ଆରାଧନା । ମୂଳାଷ୍ଟମୀ ଅବସରରେ କଟକର ଆରାଧ୍ୟ ଦେବୀ ମାଆ କଟକ ଚଣ୍ଡୀଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । କଳସ ଶୋଭାଯାତ୍ରାରେ ମହାନଦୀରୁ ପବିତ୍ର ଜଳ ଆଣି ସହସ୍ର କୁମ୍ଭାଭିଷେକ ଓ ଘଟସ୍ଥାପନ କରାଯାଇଛି । ସୋମବାର କଟକଚଣ୍ଡୀ ଓ ଗଡଚଣ୍ଡୀ ଉଭୟ ସୁନା ବେଶରେ ଭୂଷିତ ହେବେ । ମଙ୍ଗଳବାର ଭୁବନେଶ୍ବରୀ ଓ ସରସ୍ବତୀ ବେଶରେ ଦର୍ଶନ ଦେବେ । ୨୨ ତାରିଖରୁ ନବରାତ୍ର ପୂଜା ସହ ଅକ୍ଟୋବର ୨ରେ ବିଜୟା ଦଶମୀ ।

ସେପଟେ କାକଟପୁର ମାଆ ମଙ୍ଗଳାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ସହସ୍ର କୁମ୍ଭାଭିଷେକ ସହ ଆରମ୍ଭ ହୋଇଛି ପୂଜାବିଧି । ୨୨ରୁ ଆରମ୍ଭ ହେବ ନବଦିନାତ୍ମକ ପୂଜାନୀତି । ୨୬ ତାରିଖ ପଞ୍ଚମୀ ଦିନ ତୀରକମାଣ ବେଶ, ଷଷ୍ଠୀ ଦିନ କାର୍ତ୍ତିଖର୍ପର ବେଶ, ସପ୍ତମୀ ଦିନ ସିଂହବାହିନୀ ବେଶ, ଅଷ୍ଟମୀ ଦିନ ମହିଷାମର୍ଦ୍ଦିନୀ ବେଶ ଓ ଦଶମୀ ଦିନ ହରଦୁର୍ଗା ଭେଟ ସହ ସରିବ ଶାରଦୀୟ ପାର୍ବଣ । ଶକ୍ତି ପୀଠ ବାଙ୍କୀ ସ୍ଥିତ ମାଆ ଚର୍ଚ୍ଚିକାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଳପୂଜା । ମହାନଦୀର ପବିତ୍ର ଜଳରେ କୁମ୍ଭାଭିଶେକ ସହ ମାଆ ବିଭିନ୍ନ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।

ଜଗତସିଂହପୁର ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ଏହି ଅବସରରେ ପ୍ରତ୍ୟେକ ଦିନ ମାଆଙ୍କ ମଣ୍ଡା ପିଠା ଲାଗି କରାଯିବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମାଆ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ ସୁନା ଅଳଙ୍କାରରେ ସୁସଜିତ ହେବେ। ଷଷ୍ଠୀ, ସପ୍ତମୀ ଏବଂ ଅଷ୍ଟମୀରେ ମହିଷାମର୍ଦ୍ଦିନ ବେଶରେ ଦର୍ଶନ ଦେବେ ମାଆ । ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଚାଲିଛି ଷୋଳପୂଜା । ପ୍ରତିପଦାଠାରୁ ପ୍ରତିଦିନ ମାଆଙ୍କ ଚଳନ୍ତି ପ୍ରତିମା ରଥାରୂଢ଼ ହୋଇ ବେଢ଼ା ପରିକ୍ରମା କରିବେ । ନାଭିଗୟାରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ ପାଇଁ ସାରା ଦେଶରୁ ଲୋକଙ୍କ ସୁଅ ଛୁଟିଛି ।

ଷୋଳପୂଜା ପାଇଁ ଚଳଚଞ୍ଚଳ ହୋଇଛି ଘଟଗାଁ ମାଆ ତାରିଣୀଙ୍କ ପୀଠ । ମାଆଙ୍କ ପୂଜାବିଧି ଆରମ୍ଭ ହୋଇଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ସୂଅ ଛୁଟିଛି ।