ସମ୍ବିଧାନ ଲୋକଙ୍କୁ ନ୍ୟାୟ ଦେଇ ପାରିଲାନି, ନେପାଳରେ ରାଜତନ୍ତ୍ରକୁ ସ୍ଥାନ ମିଳିବା ଦରକାର: ମନୀଷା କୋଇରାଲା

ନନ୍ଦିଘୋଷ ବ୍ୟୁରୋ: ନେପାଳରେ ଦେଖା ଦେଇଥିବା ରାଜନୈତିକ ସଙ୍କଟକୁ ନେଇ ଅଭିନେତ୍ରୀ ମନୀଷା କୋଇରାଲାଙ୍କ ପ୍ରତିକ୍ରିୟା ଆସିଛି । ଏକ ପୋଡକାଷ୍ଟରେ ନେପାଳରେ ରାଜତନ୍ତ୍ରକୁ ବି ଜାଗା ମିଳିବା ଦରକାର ବୋଲି କହିଛନ୍ତି ମନୀଷା । ନେପାଳ ସମ୍ବିଧାନ ଲୋକଙ୍କୁ ନ୍ୟା ଦେବାରେ ବିଫଳ ହୋଇଥିବା ସେ କହିଛନ୍ତି । ମନୀଷା କୋଇରାଲା ନେପାଳର ଏକ ଦିଗଜ୍ଜ ରାଜନୈତିକ ପରିବାରରୁ ଆଓନ୍ତି । ତାଙ୍କ ଜେଜେ ବିପି କୋଇରାଲା ନେପାଳର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ବାପା ପ୍ରକାଶ କୋଇରାଲା ଜଣେ ମନ୍ତ୍ରୀ ଥିଲେ ।
ପୋଡକାଷ୍ଟରେ ନେପାଳରେ ବାରମ୍ବାର ସରକାର ଭାଙ୍ଗିବାର କାରଣ ସମ୍ପର୍କରେ ପଚରା ଯାଉଥିଲା । ଏଥିରେ ସେ କହିଥିଲେ, ନେପାଳର ବର୍ତ୍ତମାନ ରାଜନୈତିକ ସ୍ଥିତିକୁ ମୁଁ ଗୁରୁତ୍ବର ସହ ଦେଖୁଛି । ହେଲା ଏହା କିଛି ନୂଆ କଥା ନୁହେଁ । ମୁଁ ପିଲାଟି ଦିନରୁ ରାଜନୀତିକୁ ବୁଝି ଆସୁଛି । ହୁଏତ ମା’ଙ୍କ ଗର୍ଭରେ ମୁଁ ଶୁଣିବା ଆରମ୍ଭ କରି ଦେଇଥିଲି । ସେ ସମୟରେ ମୋ ବାପା କହୁଥିଲେ, ରାଜନୀତି ଏକ ସେବା । ଆଉ ଜନତାଙ୍କ ପାଇଁ ଏହି ସେବା କରାଯାଇଥାଏ । ଏହା ଏକ ସ୍ବପ୍ନ, ଯାହା ଆପଣ ଜନତାଙ୍କ ପାଇଁ ଦେଖିଥାନ୍ତି । ହେଲେ ଯେତେବେଳେ ଏହି ସ୍ବପ୍ନ, ବାସ୍ତବତାଠାରୁ ଦୂରେଇ ଯାଏ ସେତେବେଳେ ସମସ୍ୟା ସୃଷ୍ଟି ହୁଏ ।
ମନୀଷା କହିଛନ୍ତି, ମୋତେ ଲାଗୁ ନାହିଁ ଆଜିର ନେତା ରାଜନୀତିର ଅର୍ଥ ଠିକରେ ବୁଝି ନାହାନ୍ତି । ଯୁବାବସ୍ଥାରେ ସେମାନେ ହୁଏତ ଭଲ ଭାବନା ନେଇ ରାଜନୀତିକୁ ଆସିଥିଲେ । ହେଲେ, ଯେମିତି ଯେମିତି ସେମାନଙ୍କୁ ସାଲିସ କରିବାକୁ ପଡେ, ପାଦେ ପାଦେ ସେମାନେ ସେମାନଙ୍କ ସିର୍ଦ୍ଧାନ୍ତ ହରାଇ ବସିଲେ । ଆଉ ରାଜନୀତିକୁ ଆସିବାର ସ୍ବପ୍ନ ଧୂଆଁ ହୋଇଗଲା । ନେପାଳ ଚାରିପଡୁ ଘେରିକି ରହିଛି (ଲ୍ୟାଣ୍ଡ ଲକ୍) । ନେପାଳର ଗୋଟିଏ ଅଂଶ ଆଧୁନିକ ହୋଇଥିବା ବେଳେ ଅନ୍ୟ ଅଂଶ ପରମ୍ପରା ସହ ଆଜି ବି ଜୋଡି ହୋଇ ରହିଛି । ନେପାଳୀ ପରିବାର ଯୁଆଡ଼େ ବି ଯାଆନ୍ତୁ, ସେମାନେ ଲାଲ ଟୀକା ନିଶ୍ଚିତ ଲଗାଇଥାନ୍ତି । ଯଦି ବିବାହିତ ହୋଇଥିବେ ତେବେ ମଙ୍ଗଳସୂତ୍ର ନିଶ୍ଚିତ ପିନ୍ଧି ଥିବେ । ଆମ ପାଖରେ ଏକ ସୁନ୍ଦର ସମାଜ ରହିଛି । ଯେଉଁଥିରେ ଆଧୁନିକତା ସହ ପରମ୍ପରା ବି ରହିଛି । ଯଦି ଆମେ ଏହି ପରମ୍ପରା ଓ ଆଧୁନିକତା ମଧ୍ୟରେ ତାଳମେଳ କରିଥାନ୍ତେ ତେବେ ସ୍ଥିତି ଅଲଗା ହୋଇଥାନ୍ତି ।
ଆଗକୁ ସେ କହିଛନ୍ତି, ମୁଁ ମାନୁଛି ଲୋକତନ୍ତ୍ର ଏକମାତ୍ର ରାସ୍ତା । ହେଲେ ଏହା ସଠିକ ଲୋକତନ୍ତ୍ର ହେବା ଆବଶ୍ୟକ । କେବଳ ଦେଖାଇବା ଭଳି ଲୋକତନ୍ତ୍ର ଦରକାର ନାହିଁ । ଏମିତି ଲୋକତନ୍ତ୍ର, ଯେଉଁଥିରେ ସଂସ୍ଥାମାନେ ରାଜନୈତିକ ଦଖଲରୁ ମୁକ୍ତ ଥିବେ । ରାଜନୈତିକ ନିଯୁକ୍ତି ନୁହେଁ, ଯୋଗ୍ୟତା ଆଧାରରେ କାମ ମିଳୁଥିବ ।