spot_img

Latest Posts

ସରକାରଙ୍କୁ ଅଡୁଆରେ ପକାଇଛି ପାର୍ଟ ପ୍ଲଟ କିଣାବିକା ନିୟମ

ସରକାରଙ୍କୁ ଅଡୁଆରେ ପକାଇଛି ପାର୍ଟ ପ୍ଲଟ କିଣାବିକା ନିୟମ। ଫାଇଦା ଉଠାଉଛନ୍ତି ପଞ୍ଜୀକରଣ ଅଧିକାରୀ। ଅସୁବିଧାରେ ପଡୁଛନ୍ତି ସାଧାରଣ ଲୋକେ। ଖୋର୍ଦ୍ଧା ଜିଲ୍ଲାରେ ଉତ୍କଟ ରୂପ ନେଇଛି ସମସ୍ୟା। ପଞ୍ଜୀକରଣ ଅଧିକାରୀଙ୍କ ମନମାନୀର ଗଦାଗଦା ଅଭିଯୋଗ ପରେ ମୁଣ୍ଡ ଖେଳାଇଛନ୍ତି ଇନିସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ। ଖୋର୍ଦ୍ଧା ଜିଲ୍ଲାର ସବ୍ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ଅଧିକ ଦ୍ବନ୍ଦ୍ବ ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ୨୦୧୩ ମସିହାରେ ସରକାର ଇଣ୍ଡିଆନ ରେଜିଷ୍ଟ୍ରେସନ ଆକ୍ଟର ସଂଶୋଧନ କରି, ଧାରା ୨୨(କ) ଅନୁସାରେ ସବ ରେଜିଷ୍ଟ୍ରାରଙ୍କୁ ଦଲିଲ ପଞ୍ଜୀକରଣ ହେବ କି ନାହିଁ, ଏହାର ନିଷ୍ପତ୍ତି ନେବାକୁ କ୍ଷମତା ଦେଇଥିଲେ। ଯାହାର ଫାଇଦା ଉଠାଇ ସବ-ରେଜିଷ୍ଟ୍ରାରମାନେ ଅଯଥା କାରଣ ଦର୍ଶାଇ ଲୋକଙ୍କୁ ହଇରାଣ କରୁଛନ୍ତି। ଏ ବାବଦରେ ସରକାରଙ୍କୁ ବାରମ୍ବାର କହିବା ପରେ ମଧ୍ୟ କିଛି ବାଟ ଫିଟୁ ନଥିବାରୁ ଆଗକୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଓଡ଼ିଶା ବିକାଶ ଅଭିଯାନ।

ପାର୍ଟ ପ୍ଲଟ କିଣାବିକା କରିବାକୁ ଜୁନ୍ ମାସରେ ଓଡ଼ିଶା ଡେଭେଲପମେଣ୍ଟ ରୁଲ୍ସର ସଂଶୋଧନ ହୋଇଥିଲା। ଚାଷ ଜମି ପାଇଁ କୌଣସି କଟକଣା ନଥିବା ବେଳେ, ଘରବାଡ଼ି ଜମି କିଣାବିକା ପାଇଁ ଲେ-ଆଉଟ ବାଧ୍ୟତାମୂଳକ ହୋଇଥିଲା। ହେଲେ ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ୫୦୦ ବର୍ଗମିଟର ପର୍ଯ୍ୟନ୍ତ ବିନା ଲେ-ଆଉଟରେ ଜମି ବିକ୍ରି କରି ପାରିବେ ବୋଲି ଅନୁମତି ମିଳିଥିଲା। ଯାହାର ଫାଇଦା ଉଠାଉଛନ୍ତି ସବ ରେଜିଷ୍ଟ୍ରାର। ଏହି ବାହାନାରେ ଚାଷ ଜମିର ଦଲିଲ ମଧ୍ୟ କରୁନାହାନ୍ତି। ସେହିପରି ଚାଷ ଜମି ବିକ୍ରି ପରେ ଜୀବନ ଯାକ ଏହା ଘରବାଡ଼ି ହୋଇପାରିବ ନାହିଁ ବୋଲି ସରକାର ରଖିଥିବା ସର୍ତ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ରେଜିଷ୍ଟ୍ରେସନ ଆକ୍ଟ ଅନୁସାରେ ସବ ରେଜିଷ୍ଟ୍ରାରମାନେ ଦଲିଲ ପଞ୍ଜୀକରଣ କରିବାକୁ ଥିବା ବେଳେ, ତାଙ୍କ ଉପରେ ଅନ୍ୟ ବିଭାଗର ଆଇନକୁ ଲଦି ଦିଆଯାଉଛି। ସମସ୍ୟାର ସମାଧାନ ପାଇଁ ସରକାରଙ୍କ ସହ ଆଲୋଚନା କରାଯାଉଛି। କିନ୍ତୁ ଖାଲି ପ୍ରତିଶ୍ରୁତି ମିଳୁଛି ବୋଲି ଅଭିଯୋଗ କରିଛି ଓଡ଼ିଶା ବିକାଶ ଅଭିଯାନ।

Latest Posts

Don't Miss