ଜଳପ୍ରପାତରେ ଭାସି ଯୁବକ ନିଖୋଜ ଘଟଣା: ଜାତୀୟ ରାଜପଥ ଅବରୋଧ କଲେ ପରିବାର ଲୋକେ

ଗୁଣ୍ଡିଚାଘାଗି ଜଳପ୍ରପାତରେ ଭାସି ଯୁବକ ନିଖୋଜ ଘଟଣା । ଜାତୀୟ ରାଜପଥ ଅବରୋଧ କଲେ ପରିବାର ଲୋକ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ଯୁବକ ଜଣଙ୍କ ହେଲେ ବାଲେଶ୍ଵର ଜିଲ୍ଲା ସୋର ଥାନା ବର୍ତନା ଗ୍ରାମର ଦେବେଶ୍ ବେହେରା । ପରିବାର ଲୋକଙ୍କ ସହିତ ବୁଲିବାକୁ ଆସିଥିଲେ ଯୁବକ । ପ୍ରଥମେ ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିବା ପରେ ଗୁଣ୍ଡିଚାଘାଗି ଜଳପ୍ରପାତକୁ ବୁଲିବାକୁ ଆସିଥିଲେ । ଜଳପ୍ରପାତରେ ବୁଲିବା ସମୟରେ ଏକ ସ୍ରୋତରେ ଭାସି ଯାଇଥିଲେ । ନିଖୋଜ ଯୁବକକୁ ଉଦ୍ଧାର କରିବା ପାଇଁ ଚାରିଦିନ ହେବ ଘଟଗାଁ ଅଗ୍ନିଶମ ବିଭାଗ ପ୍ରଚେଷ୍ଟା ଜାରି ରଖିଛି । ଏହି ଉଦ୍ଧାର କାର୍ଯ୍ୟରେ ଆଜି ଦେବଗଡ଼ର ଓଡ୍ରାଫ୍ ଟିମ୍ ସାମିଲ ହୋଇଛି । ପୁଅକୁ ଉଦ୍ଧାର କରିବା ପାଇଁ ପରିବାର ଲୋକ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି । ଏହାସହ ଘଟଗାଁ ବାଇପାସ୍ ନିକଟ ୨୦ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ନିଖୋଜ ଯୁବକଙ୍କ ପରିବାର ଲୋକ ।