ବିଶ୍ବର ୧ ନମ୍ବର ଧନୀବ୍ୟକ୍ତି ଲ୍ୟାରୀ ଏଲିସନଙ୍କ ଜୀବନର ସଂଘର୍ଷପୂର୍ଣ୍ଣ କାହାଣୀ
1 min read
ଏଲନ ମସ୍କଙ୍କୁ ପଛରେ ପକାଇ ସେପ୍ଟେମ୍ବର ୧୦ ତାରିଖରେ ଦୁନିଆର ୧ ନମ୍ବର ଧନୀ ବ୍ୟକ୍ତିର ମୁକୁଟ ପିନ୍ଧିବାର ସୌଭାଗ୍ୟ ହାସଲ କରିଥିଲେ ଓରେକଲର ସହ-ପ୍ରତିଷ୍ଠାତା ଲ୍ୟାରୀ ଏଲିସନ । ତେବେ ଲ୍ୟାରିଙ୍କ ଜୀବନର ସଂଘର୍ଣ୍ଣଭରା କାହାଣୀ ଅନେକ ଜାଣିନଥିବେ । ଜନ୍ମ ହେବା ପରେ ଲ୍ୟାରୀଙ୍କୁ ଛାଡ଼ି ତାଙ୍କର ମା’ ଚାଲିଯାଇଥିଲେ । ଅରବପତିଙ୍କ ଲିଷ୍ଟରେ ଏକ ବଡ଼ ଉପଲବ୍ଧି ହାସଲ କରି ୮୧ ବର୍ଷୀୟ ଲ୍ୟାରୀ ବିଶ୍ବର ୧ ନମ୍ବର ଧନୀ ହୋଇ ପାରିଛନ୍ତି । ତେବେ ଲ୍ୟାରୀଙ୍କ ସଫଳତାର କାହାଣୀ ବେଶ୍ ରୋମାଞ୍ଚକର ଓ କୌଣସି ଫିଲ୍ମ କାହାଣୀ ଠାରୁ କମ୍ ନୁହେଁ । ଛୋଟ ବେଳୁ ମା’ର ମମତାରୁ ବଞ୍ଚିତ ହୋଇଥିବା ଲ୍ୟାରୀଙ୍କ ବାଲ୍ୟଜୀବନ ଗରିବୀରେ ବିତିଥିଲା । ମାତ୍ର ପାଠ ପଢ଼ିବା ସମୟରେ ସେ ଜୀବନରେ କିଛି ବଡ଼ କରିବେ ବୋଲି ତାଙ୍କ ମନରେ ଆଇଡିଆ ଆସିଥିଲା । ତା’ ପରେ ତାଙ୍କର ଜୀବନ ବଦଳି ଯାଇଥିଲା ଓ ସେ ଦୁନିଆର ୧ ନମ୍ବର ଧନୀ ହୋଇ ପାରିଥିଲେ ।
ସେପ୍ଟେମ୍ବର ୧୦ରେ ଲ୍ୟାରୀଙ୍କ କମ୍ପାନୀ ଓରେକଲ କର୍ପୋରେସନର ତିନି ମାସର ଫଳାଫଳ ଶାନଦାର ରହିଥିଲା, ଯାହାର ସିଧାସଳଖ ପ୍ରଭାବ ଶେୟାରରେ ଦେଖିବାକୁ ମିଳିଥିଲା । ଗୋଟିଏ ଦିନରେ ହିଁ ଓରେକଲର ଷ୍ଟକ କାରବାର ୪୧ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଇଥିଲା । ଶେୟାରର ଏହି ଦ୍ରୁତ ବୃଦ୍ଧି ଫଳରେ ଲ୍ୟାରୀଙ୍କ ନେଟଓ୍ବର୍ଥ ମାତ୍ର ୨୪ ଘଣ୍ଟାରେ ୧୦୧ ଅରବ ଡଲାର ବୃଦ୍ଧି ଘଟି ୩୯୩ ଅରବ ଡଲାରରେ ପହଞ୍ଚି ଯାଇଥିଲା । ଫଳରେ ସେ ମସ୍କଙ୍କୁ ହଟାଇ ୧ ନମ୍ବର ଧନୀ ହୋଇପାରିଥିଲେ । ସେ ସମୟରେ ମସ୍କଙ୍କ ନେଟଓ୍ବର୍ଥ ୩୮୫ ଅରବ ଡଲାର ରହିଥିଲା । ପରବର୍ତ୍ତୀ ସମୟରେ ଲ୍ୟାରୀଙ୍କ ସମ୍ପତ୍ତିରେ ହ୍ରାସ ପରିଲକ୍ଷିତ ହୋଇଥିଲା ।
ଟେକ ସେକ୍ଟରରେ ୮୧ ବର୍ଷୀୟ ଲ୍ୟାରି ଏଲିସନ ଏକ ବଡ଼ ନାମ । ତେବେ ଜୀବନର ସଂଘର୍ଷ ଓ ସେଥିରୁ ବାହାରିବା ଲ୍ୟାରିଙ୍କ ସଫଳତା ପଛର ଏକ ବଡ଼ କାରଣ । ୧୯୪୪ ମସିହା ଜୁନରେ ନ୍ୟୁୟର୍କରେ ଲ୍ୟାରୀ ଜନ୍ମଗ୍ରହଣ କରିଥିଲେ । ସେ ୯ ମାସର ହୋଇଥିବା ବେଳେ ତାଙ୍କର ମା’ ତାଙ୍କୁ ଜଣେ ସମ୍ପର୍କୀୟଙ୍କୁ ଦେଇ ଟେକି ଦେଇଥିଲେ । ୪୮ ବର୍ଷ ପର୍ଯ୍ୟନ୍ତ ଲ୍ୟାରୀ ନିଜ ମା’ଙ୍କ ମୁହଁ ଦେଖିନଥିଲେ । ଶିକାଗୋ ୟୁନିଭରସିଟିରେ ଲ୍ୟାରି ଗ୍ରାଜୁଏସନରେ ଆଡମିସନ କରିଥିଲେ । ପାଠପଢ଼ା ମଧ୍ୟରେ କିଛି ଅଲଗା କରିବାର ଆଇଡିଆ ହିଁ ତାଙ୍କ ପାଇଁ କମାଲ ସାବ୍ୟସ୍ତ ହୋଇଥିଲା । କିଛି ବର୍ଷ ଅଲଗା ଅଲଗା କମ୍ପାନୀରେ କାମ କରିବା ସମୟରେ ଲ୍ୟାରୀ କୋଡିଂ ଓ ସଫ୍ଟଓ୍ବୟାରକୁ ଭଲରେ ବୁଝିଥିଲେ । ୧୯୭୭ରେ ମାତ୍ର ୨ ହଜାର ଡଲାର ନିବେଶ କରି ଦୁଇ ବନ୍ଧୁଙ୍କୁ ନେଇ ଲ୍ୟାରୀ କାଲିଫର୍ଣ୍ଣିଆରେ ସଫ୍ଟେଓ୍ବୟାର ଡେଭଲପମେଣ୍ଟ ଲ୍ୟାବରେଟୋରିଜ ସ୍ଥାପନା କରିଥିଲେ । ୫ ବର୍ଷ ପରେ ନାମ ବଦଳାଇ ନିଜର କମ୍ପାନୀର ନାମ ’ଓରେକଲ’ ରଖିଥିଲେ । ୧୯୮୬ରେ ତାଙ୍କର କମ୍ପାନୀ ଶେୟାର କମ୍ପାନୀରେ ଲିଷ୍ଟ ହୋଇଥିଲା ।
ପ୍ରାରମ୍ଭରୁ ୨୦୧୪ ମସିହା ସେପ୍ଟେମ୍ବର ପର୍ଯ୍ୟନ୍ତ ଲ୍ୟାରି କମ୍ପାନୀର ସିଇଓ ଦାୟିତ୍ବ ସମ୍ଭାଳିଥିଲେ । ୨୦୧୨ରେ କମ୍ପାନୀର ପାଖାପାଖି ପୂରା ଅଂଶଧନ ସେ କିଣି ନେଇଥିଲେ । ଲ୍ୟାରି ତାଙ୍କ ଜୀବନରେ ୫ ଥର ବିବାହ କରିଛନ୍ତି । ୧୯୬୭ରେ ପ୍ରଥମ ବିବାହ କରିଥିବା ବେଳେ ତାହା ୧୯୭୪ ପର୍ଯ୍ୟନ୍ତ ଚାଲିଥିଲା । ୧୯୭୭ରେ ଦ୍ବିତୀୟ ବିବାହ ଓ ୧୯୮୩ରେ ତୃତୀୟ ବିବାହ କରିଥିଲେ । ଏହାପରେ ୨୦୦୩ରେ ସେ ଚତୁର୍ଥ ଥର ପାଇଁ ବିବାହ କରିଥିଲେ । ଲ୍ୟାରୀଙ୍କ ପଞ୍ଚମ ପତ୍ନୀ ଜୋଲିନ ଝୁ ତାଙ୍କ ଠାରୁ ପାଖାପାଖି ୪୭ ବର୍ଷ ସାନ ଅଟନ୍ତି । ୫ ଥର ବିବାହ କରିଥିବା ଏଲିସନଙ୍କ ଦୁଇଟି ସନ୍ତାନ ରହିଛି ।