ଫିଲ୍ମ ଷ୍ଟାଇଲେ ନେପାଳ ଅର୍ଥମନ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଆନ୍ଦୋଳନକାରୀ

1 min read

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡ଼ିଆ ବ୍ୟାନକୁ ନେଇ ନେପାଳ ଜଳୁଛି । ଜେନେ ଜେଡଙ୍କ ଆନ୍ଦୋଳନ ଏତେ ଉଗ୍ର ଓ ହିଂସ୍ର ହେବାରେ ଲାଗିଛି ଯେ ପୂରା ନେପାଳ ଯେମିତି ରଣକ୍ଷେତ୍ର ପାଲଟିଛି । ମଙ୍ଗଳବାର ଆନ୍ଦୋଳନକାରୀମାନେ ରାଜଧାନୀ କାଠମାଣ୍ଡୁ ସମେତ ବିଭିନ୍ନ ସହରରେ ଭଙ୍ଗାରୁଜା କରିଛନ୍ତି । ଏହି ସମୟରେ ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ଅର୍ଥମନ୍ତ୍ରୀ ବିଷ୍ଣୁ ପୌଡେଲଙ୍କୁ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ଲାତ, ବିଧା ମାରିଛନ୍ତି ।

ଏହି ଆନ୍ଦୋଳନ ସରକାରଙ୍କୁ ସମ୍ପୂର୍ଣ୍ଣ ଭାବେ ଦୋହଲାଇ ଦେଇଛି । ପୂର୍ବରୁ ଗୃହମନ୍ତ୍ରୀ ରମେଶ ଲେଖକ, କୃଷିମନ୍ତ୍ରୀ ରାମନାଥ ଅଧିକାରୀ, ସ୍ବାସ୍ଥ୍ୟମନ୍ତ୍ରୀ ପ୍ରଦୀପ ପୌଡେଲ ଏବଂ ଜଳସମ୍ପଦ ମନ୍ତ୍ରୀ ପ୍ରଦୀପ ଯାଦବ ଇସ୍ତଫା ଦେଇ ସାରିଛନ୍ତି । ସ୍ଥିତି ଅସମ୍ଭାଳ ହେବା ପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଧ୍ୟ ଇସ୍ତଫା ଦେଇଛନ୍ତି ।

କିଏ ଏହି ବିଷ୍ଣୁ ପୌଡେଲ ?

ବିଷ୍ଣୁ ପ୍ରସାଦ ପୌଡେଲ ନେପାଳର ଜଣେ ବଡ଼ ନେତା । ସେ କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ (ୟୁଏମଏଲ)ର ଉପାଧ୍ୟକ୍ଷ ଅଛନ୍ତି । ନିକଟରେ ସେ ମନ୍ତ୍ରିମଣ୍ଡଳରେ ଉପପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ପଦରେ ରହିଥିଲେ । ଏହାପୂର୍ବରୁ ସେ ନେପାଳ ସରକାରରେ ବିଭିନ୍ନ ମନ୍ତ୍ରାଳୟରେ ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳିଛନ୍ତି । ୨୦୨୧ରେ ଉପପ୍ରଧାନମନ୍ତ୍ରୀ ରହିବା ସହ ଗୃହ ମନ୍ତ୍ରାଳୟ, ଶିଳ୍ପ ମନ୍ତୟାଳୟ, ଜଳ ମନ୍ତୟାଳୟ, ଏବଂ ପ୍ରତିରକ୍ଷା ମନ୍ତ୍ରାଳୟ ସମ୍ଭାଳିଛନ୍ତି । ଅର୍ଥ ମନ୍ତ୍ରାଳୟ ଦୁଇଥର (୨୦୨୦-୨୦୨୧ ଏବଂ ୨୦୧୫-୨୦୧୬) ସମ୍ଭାଳିଛନ୍ତି । ସେହିପରି ଜଳ ମନ୍ତ୍ରାଳୟ ୧୯୯୪-୧୯୯୯, ୨୦୦୮-୨୦୦୯ ଓ ୨୦୨୧ରେ ସମ୍ଭାଳି ଥିଲେ ।