ନେପାଳରେ ପୁଣି ତେଜିଲା ହିଂସା ; ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ
1 min read
ନନ୍ଦିଘୋଷ ବ୍ୟୁରୋ: ନେପାଳରେ ଥମୁନି ଉତ୍ତେଜନା। ଆଜି ପୁଣି ତେଜିଲା ଜେନ ଜେଡ୍ ଆନ୍ଦୋଳନ। ସରକାର ବିରୋଧରେ ହିଂସାତ୍ମକ ପ୍ରଦର୍ଶନ ଜାରି ରହିଛି। ରାଷ୍ଟ୍ରପତି ଭବନ ନିକଟରେ ପୋଲିସ ପକ୍ଷରୁ ଗୁଳିମାଡ଼ କରାଯାଇଛି। ୨ ମନ୍ତ୍ରୀଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି ପ୍ରଦର୍ଶନକାରୀ। ଆନ୍ଦୋଳନରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି। କାଠମାଣ୍ଡୁରେ ହିଂସାତ୍ମକ ପ୍ରଦର୍ଶନ ଜାରି ରହିଛି। ପୋଲିସ ଗାଡ଼ି ଉପରକୁ ପଥରମାଡ଼ କରୁଛନ୍ତି ଆନ୍ଦୋଳନକାରୀ। ଉତ୍ତେଜନାମୂଳକ ସ୍ଥିତି ମଧ୍ୟରେ ୩ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ନେପାଳ ଗୃହମନ୍ତ୍ରୀ, କୃଷିମନ୍ତ୍ରୀ ଓ ସ୍ଵାସ୍ଥ୍ୟମନ୍ତ୍ରୀ। ନୈତିକତା କାରଣରୁ ସେମାନେ ଇସ୍ତଫା ଦେଇଥିବା କୁହାଯାଇଛି। ଜେନ ଜେଡ ଆନ୍ଦୋଳନକାରୀଙ୍କ ଚାପରେ ମୁଣ୍ଡ ନୁଆଁଇଛନ୍ତି ନେପାଳ କେ.ପି. ଶର୍ମା ଓଲି ସରକାର। ଯେଉଁ ୨୬ଟି ସୋସିଆଲ ମିଡିଆ ଉପରେ ସରକାର ନିଷିଦ୍ଧାଦେଶ ଜାରି କରିଥିଲେ ତାହାକୁ ହଟାଇ ନେଇଛନ୍ତି। ଆନ୍ଦୋଳନ ଯୋଗୁ କାଠମାଣ୍ଡୁ ବିଶେଷ ପ୍ରଭାବିତ ହୋଇଛି।
ସୋସିଆଲ ମିଡିଆ ଉପରେ ବ୍ୟାନ ଓ ଦୁର୍ନୀତି ପ୍ରତିବାଦରେ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଘଟଣାକୁ ନେଇ ୭ ଟି ସହରରେ କର୍ଫ୍ୟୁ ଜାରି ହୋଇଥିଲା। ଆନ୍ଦୋଳନକାରୀଙ୍କ ଉପରକୁ ପୋଲିସ ଲୁହବୁହା ଗ୍ୟାସ ଓ ପାଣିମାଡ଼ କରିଥିଲା। ୧୯୯୫ରେ ଜେନ ଜେଡର ଉତ୍ପତ୍ତି ଘଟିଥିଲା ଏବଂ ୧୮ରୁ ୩୦ ବର୍ଷ ବୟସର ଯୁବକ ଯୁବତୀମାନଙ୍କୁ ଏଥିରେ ସାମିଲ ହୋଇଥାନ୍ତି । ଦେଶରେ ଉତ୍ତେଜନା ପରେ ଭାରତ-ନେପାଳ ସୀମାରେ ସୁରକ୍ଷା ବଢାଇ ଦିଆଯାଇଛି। ନେପାଳରେ ରହୁଥିବା ଭାରତୀୟଙ୍କ ଲାଗି ସତର୍କତା ଜାରି କରିଛି ଭାରତୀୟ ବୈଦେଶିକ ବିଭାଗ। ପୋଲିସ ଏବଂ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ ପରାମର୍ଶ। ନେପାଳରେ ଯୁବବର୍ଗଙ୍କ ମୃତ୍ୟୁ ଖବରରେ ଶୋକ ପ୍ରକାଶ କରିଛି ଭାରତୀୟ ବୈଦେଶିକ ବିଭାଗ ।