ଉପରାଷ୍ଟ୍ରପତି ନିର୍ବାଚନ ଭୋଟିଂ ଜାରି ; ମତଦାନ କରୁଛନ୍ତି ସାଂସଦ
1 min read
ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଲାଗି ଚାଲିଛି ଭୋଟଦାନ। ସଂସଦ ଭବନରେ ଆରମ୍ଭ ହୋଇଥିବା ଭୋଟିଂରେ ପ୍ରଥମେ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରେ ବିଭିନ୍ନ ଦଳର ସାଂସଦମାନେ ଦେଉଛନ୍ତି ଭୋଟ। ଏନଡିଏ ପ୍ରାର୍ଥୀ ସି. ପି. ରାଧାକ୍ରିଷ୍ଣନ ଓ ଇଣ୍ଡି ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ହେଉଛି ସିଧାସଳଖ ଲଢେଇ। ସପ୍ତଦଶ ଉପରାଷ୍ଟ୍ରପତି ନିର୍ବାଚନ ଉପରେ ରହିଛି ଦେଶବାସୀଙ୍କ ନଜର। ୧୯୮୭ ପରେ ପ୍ରଥମ ଥର ଲାଗି ଉପରାଷ୍ଟ୍ରପତି ପଦ ଲାଗି ଦ୍ବିତୀୟ ଥର ନିର୍ବାଚନ ହେଉଛି । ଏହି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଭୋଟ ଦେବେ । ରାଜ୍ୟସଭାର ମନୋନୀତ ସାଂସଦ ବି ଭୋଟ ଦେବେ । ସିକ୍ରେଟ ବାଲଟ ବ୍ୟବସ୍ଥାରେ ଏହି ଭୋଟ ହେବ ।
ସଂସଦ ଭବନର ପ୍ରଥମ ମହଲାରେ ଥିବା ଏଫ-୧୦୧, ବସୁଧାରେ ସକାଳ ୧୦ଟାରୁ ଅପରାହ୍ଣ ୫ଟା ଯାଏ ଭୋଟ ଦେବେ ସାଂସଦ । ସନ୍ଧ୍ୟା ୬ଟାରେ ହେବ ଗଣତି। ନିର୍ବାଚନ ଲାଗି ଦୁଇଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ନିର୍ବାଚନ କମିଶନ । ସେମାନେ ହେଲେ ପଞ୍ଚାୟତିରାଜ ମନ୍ତ୍ରାଳୟର ଅତିରିକ୍ତ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ସଚିବ ଡି. ଆନନ୍ଦନ । ଏନଡିଏ ପକ୍ଷରୁ କିରଣ ରିଜିଜୁ, ଶ୍ରୀକାନ୍ତ ସିନ୍ଦେ ଓ ରାମ ମୋହନ ନାଇଡୁଙ୍କୁ ପୋଲିଂ ଏଜେଣ୍ଟ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଇଣ୍ଡିମେଣ୍ଟ ପକ୍ଷରୁ ନାସିର ହୁସେନ, ମାଣିକରାମ ଟାଗୋର ଓ ଶକ୍ତିସିଂ ଗୋହିଲଙ୍କୁ ପୋଲିଂ ଏଜେଣ୍ଟ ଭାବେ ନିଯୁକ୍ତ କରାଯାଇଛି।
ଉପରାଷ୍ଟ୍ରପତି ପଦ ଲାଗି ଭୋଟ ଦେବେ ମୋଟ ୭୮୧ ସାଂସଦ। ଲୋକସଭାର ମୋଟ ଆସନ ସଂଖ୍ୟା ୫୪୩ ଓ ରାଜ୍ୟସଭାର ମୋଟ ଆସନ ସଂଖ୍ୟା ୨୪୫। ବର୍ତ୍ତମାନ ଲୋକସଭାର ସଦସ୍ୟ ସଂଖ୍ୟା ୫୪୨ ଓ ରାଜ୍ୟସଭାର ସଦସ୍ୟ ସଂଖ୍ୟା ରହିଛି ୨୩୯। ଗୋଟିଏ ଲୋକସଭା ଆସନ ଖାଲିଥିବାବେଳେ ରାଜ୍ୟସଭାର ୬ଟି ଆସନ ଖାଲି ରହିଛି। ବିଜୟ ଲାଗି ମ୍ୟାଜିକ ନମ୍ବର ହେଉଛି ୩୯୧। ଏନଡିଏର ମୋଟ ସାଂସଦ ସଂଖ୍ୟା ୪୨୫। ୱାଇଏସଆର କଂଗ୍ରେସର ୧୧ ସାଂସଦଙ୍କ ସମର୍ଥନ ଯୋଗୁ ଏନଡିଏର ମୋଟ ସାଂସଦଙ୍କ ସଂଖ୍ୟା ହୋଇଛି ୪୩୬। ଯଦି ଆପ୍ ସାଂସଦ ସ୍ବାତୀ ମାଲିୱାଲ ଏନଡିଏ ସପକ୍ଷରେ ଭୋଟ ଦିଅନ୍ତି ତେବେ ଏନଡିଏର ସଦସ୍ୟ ସଂଖ୍ୟା ହେବ ୪୩୭। ଇଣ୍ଡି ମେଣ୍ଟର ମୋଟ ସାଂସଦଙ୍କ ସଂଖ୍ୟା ହେଉଛି ୩୨୪। ରାଜନୀତି ସମୀକ୍ଷକଙ୍କ ମତରେ ବିଜୟ ବ୍ୟବଧାନ ୧୦୦ରୁ ୧୨୫ ହୋଇପାରେ। ଏହି ନିର୍ବାଚନରେ ଭାଗ ନେବେ ନାହିଁ ବିଜୁ ଜନତା ଦଳ, ଭାରତ ରାଷ୍ଟ୍ର ସମିତି ଓ ଶିରୋମଣି ଅକାଳୀ ଦଳ।