ନୂଆ ଶିକ୍ଷା ନୀତିରେ ଗରିବ ପିଲାଙ୍କୁ ଉପେକ୍ଷା, ଉଚ୍ଚ ଶିକ୍ଷିତ ହେବାର ସ୍ବପ୍ନ ହେବାକୁ ବସିଲାଣି ଧୂଳିସାତ

1 min read

ଭୁବନେଶ୍ୱର : ବିଭିନ୍ନ ଶିକ୍ଷା ନୀତିରେ ଗରିବ ପିଲାଙ୍କୁ କରାଯାଉଛି ଉପେକ୍ଷା । ଉଚ୍ଚ ଶିକ୍ଷିତ ହେବା ସ୍ବପ୍ନକୁ କରାଯାଉଛି ଧୂଳିସାତ । ପ୍ରଥମେ ଶିକ୍ଷା ଅଧିକାର ଆଇନରେ ଘରୋଇ ସ୍କୁଲରେ ଗରିବ ପିଲାଙ୍କୁ ପାଠ ପଢାଇବା ବ୍ୟବସ୍ଥାକୁ ବର୍ବାଦ କଲେ। ଏବେ ଆଦିବାସୀ ପିଲାଙ୍କ ପଢା ପାଇଁ ଅନ୍ଵେଷା ସ୍କିମ ବନ୍ଦ କରିବାକୁ ଯୋଜନା କରାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ଜୋରଦାର ବିରୋଧ କରିବାକୁ ଘୋଷଣା କରିଛି ଓଡିଶା ଅଭିଭାବକ ମହାସଂଘ ।  ଆଦିବାସୀ ମୁଖ୍ୟମନ୍ତ୍ରୀ ଆସିବା ପରେ କେମିତି ଆଦିବାସୀ ପିଲାଙ୍କ ପାଠ ବେସରକାରୀ ସ୍କୁଲରେ ବନ୍ଦ କରିବେ ବୋଲି ପ୍ରଶ୍ନ କରିଛି ଓଡିଶା ଅଭିଭାବକ ମହାସଂଘ। ସେପଟେ ଅନ୍ଵେଷା ସ୍କିମ ବନ୍ଦ ହେବା ଫଳରେ ହଜାର ହଜାର ଅଭିଭାବକ କେମିତି ପିଲାଙ୍କୁ ବେସରକାରୀ ସ୍କୁଲରେ ପଢ଼େଇବେ ବୋଲି ଗଭୀର ଚିନ୍ତାରେ ଅଛନ୍ତି l ଅନ୍ଵେଷା ପିଲାଙ୍କୁ ନେଇଥିବା ସ୍କୁଲ ଏବେ ଖାଦ୍ୟ, ସ୍କୁଲ ୟୁନିଫର୍ମ, ବହି ଦେଇ ପାରୁନାହାନ୍ତି l ସେମାନେ ହାତ ଟେକିଦେଲେଣି  l ଯଦି ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଉଚିତ ପଦକ୍ଷେପ ନିଆ ନଯାଏ, ତେବେ ଆଗକୁ ନିରୀହ ଆଦିବାସୀ ପିଲାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଜୋରଦାର ଆନ୍ଦୋଳନ କରାଯିବ ବୋଲି କହିଛି ଅଭିଭାବକ ମହାସଙ୍ଘ।

ସେପଟେ ଆରଟିଇ ପାରଦର୍ଶୀ ପୋର୍ଟାଲରେ ଅନିୟମିତତା ପାଇଁ ୨୩ ତାରିଖରେ ରିପୋର୍ଟ ଦାଖଲ କରିବାକୁ ଗଣଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ । ଫର୍ମ ପୂରଣ ବେଳେ ଯେଉଁ ଅଭିଭାବକଙ୍କ ସମସ୍ତ କାଗଜପତ୍ର ଠିକ ଥିଲା, ସେମାନଙ୍କ ଆବେଦନ କେମିତି ରିଜେକ୍ଟ ହେଲା ବୋଲି ପ୍ରଶ୍ନ କରିଛି ଅଭିଭାବକ ମହାସଙ୍ଘ । ଛାତ୍ରଛାତ୍ରୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି ବୋଲି ଅଭିଯୋଗ ହୋଇଛି। ବାସିନ୍ଦା ପ୍ରମାଣ ପତ୍ର ଆଧାରରେ ଅନେକ ଫର୍ମ ରିଜେକ୍ଟ ହୋଇଛି । ଯାହାକି ନିର୍ଦ୍ଧାରିତ ନିୟମ ଅନୁଯାୟୀ ଅଭିଭାବକ ମାନେ ସଠିକ ଡକ୍ୟୁମେଣ୍ଟ ଡିପୋଜିଟ କରିଛନ୍ତି l ତେଣୁ ରିଜେକ୍ଟ କରି ପିଲାଙ୍କୁ ତାଙ୍କ ନ୍ୟାର୍ଯ୍ୟ ଅଧିକାରରୁ ବଂଚିତ କରିବl ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି l ସେପଟେ ଶାସକ ଦଳର କହିବା କଥା, ସବୁ କଥାର ବିଚାରବିମର୍ଶ ଓ ଆଲୋଚନା ଚାଲିଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ। ଆରଟିଇ ହେଉ କିମ୍ୱା ଅନ୍ୱେଷା ସବୁଥିରେ କ୍ରିୟାନ୍ଵୟନକୁ ନେଇ ଚର୍ଚ୍ଚା ହେଉଛି। ତେଣୁ ଏହା କେତେଦୂର ପିଲାଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟକାରୀ ହେବ ତା ଉପରେ ରହିଛି ନଜର।