ଭାରତରେ ହେଲା ପ୍ରଥମ TESLA କାର୍ ଡେଲିଭରି: ନାତିକୁ ଗିଫ୍ଟ ଦେବାକୁ ଏହି ମନ୍ତ୍ରୀ କିଣିଲେ ପ୍ରଥମ କାର୍
1 min read
ନନ୍ଦିଘୋଷ ବ୍ୟୁରୋ: ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଟେସଲା କାର୍ ନିର୍ମାଣ କମ୍ପାନୀ ଆଜି ଭାରତରେ ତା’ର ପ୍ରଥମ କାର ‘Tesla Model Y’ର ପ୍ରଥମ ୟୁନିଟ୍ ଡେଲିଭରି କରିଛି । ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ନିକଟରେ ଖୋଲିଥିବା ଟେସଲା ଏକ୍ସପ୍ରିଏନ୍ସ ସେଣ୍ଟରରୁ ଏହି ଡେଲିଭରି କରାଯାଇଛି । ଭାରତରେ ଟେସଲାର ଅଫିସିଆଲ ଏଣ୍ଟ୍ରି ପରେ ପ୍ରଥମ କାର ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ପ୍ରତାପ ସରନାଇକ କିଣିଛନ୍ତି ।
ଜୁଲାଇରେ କମ୍ପାନୀର ପ୍ରଥମ ଶୋ ରୁମ୍ ଖୋଲିବାର ପରେ ପରେ ହିଁ ସରନାଇକ Model Y ମଡେଲ ବୁକ କରିଥିଲେ । ସୂଚନାଯୋଗ୍ୟ, ଜୁଲାଇ ୧୫ ତାରିଖରେ ଟେସଲା ଭାରତରେ ଅଫିସିଆଲ ଏଣ୍ଟିର ଘୋଷଣା କରିଥିଲା । ଏହାସହ ପ୍ରଥମ ଶୋ ରୁମ୍ ଖୋଲିଥିଲା । ଏଠାରେ ନା କେବଳ କାର୍ କିଣି ପାରିବେ, ଗ୍ରାହକ କାରକୁ ପାଖରୁ ଦେଖିବା ଓ ଏହାକୁ ବୁଝିବାକୁ ମଧ୍ୟ ସୁଯୋଗ ପାଇଥାନ୍ତି ।
ନାତିକୁ କରିବେ ଗିଫ୍ଟ
Model Y ଡେଲିଭରି ନେବା ବେଳେ ସରନାଇକ କହିଛନ୍ତି, ଏହି କାର କିଣିବାର କୌଣସି ବ୍ୟକ୍ତିଗତ କାରଣ ନାହିଁ । ଏହା ମହାରାଷ୍ଟ୍ରର ମହତ୍ବକାଂକ୍ଷାର ପ୍ରତୀକ । ସେ କହିଛନ୍ତି, ମୁଁ ଟେସଲା କାର ଏଥିପାଇଁ କିଣିଲି କାରଣ ସାଧାରଣ ଲୋକେ ବିଶେଷ କରି ଯୁବବର୍ଗ ଇ-ଭେଇକିଲକୁ ନେଇ ସଚେତନ ହେବେ । ଏହି କାରକୁ ମୁଁ ମୋ ନାତିକୁ ଉପହାରରେ ଦେବାକୁ ଯାଉଛି । ଏହାଦ୍ବାରା ପିଲାଦିନୁ ସେ ଇ-ଭେଇକିଲକୁ ନେଇ ସଚେତନ ହୋଇପାରିବ ।
Tesla Model Y ରେ କ’ଣ ରହିଛି ଫିଚର ?
Tesla Model Y ର ଦୁଇଟି ଭେରିଏଣ୍ଟ ଷ୍ଟାଣ୍ଡାର୍ଡ ଓ ଲଙ୍ଗ ରେଞ୍ଜ ବଜାରକୁ ଆସିଛି । ଷ୍ଟାଣ୍ଡାର୍ଡ ଭେରିଏଣ୍ଟର ମୂଲ୍ୟ ୫୯.୮୯ ଲକ୍ଷ ଟଙ୍କା ଥିବା ବେଳେ ଲଙ୍ଗ ରେଞ୍ଜର ମୂଲ୍ୟ ୬୭.୮୯ ଲକ୍ଷ ଟଙ୍କା (ଏକ୍ସ-ଶୋ ରୁମ୍) ରହିଛି । ତେବେ ଦିଲ୍ଲୀ ଓ ମୁମ୍ବାଇ ପାଇଁ ଅନ୍ ରୋଡ ମୂଲ୍ୟ ଭିନ୍ନ ଭିନ୍ନ ରହିବ । ଏହି କାର ଦୁଇଟି ଅଲଗା ଅଲଗା ବ୍ୟାଟେରୀ ପ୍ୟାକ (60 kWh ଓ 75 kWh) ସହ ଅସୁଛି । 60 kWh ବ୍ୟାଟେରୀକୁ ଥରେ ଚାର୍ଜ କଲେ ୫୦୦ କିମି ପର୍ଯ୍ୟନ୍ତ ଚାଲିବ । ସେପଟେ ଲଙ୍ଗ ରେଞ୍ଜ ଭେରିଏଣ୍ଟରେ ୬୨୨ କିମି ପର୍ଯ୍ୟନ୍ତ ଚାଲିପାରିବ ।