ସରକାରୀ ନିର୍ଦ୍ଦେଶକୁ ମାନୁ ନାହାନ୍ତି ଅଫିସର

1 min read

୬୮ ବର୍ଷ ବୟସରେ ବି ଚାଲିଛି ସରକାରୀ ଚାକିରି । ସରକାରୀ ନିର୍ଦ୍ଦେଶକୁ ମାନୁ ନାହାନ୍ତି ଅଫିସର । ଅବସର ନେବା ବୟସ ଗଡ଼ିଥିଲେ ବି ଛାଡୁ ନାହାନ୍ତି ପଦବୀ । ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଅଫିସରେ ଚିଫ ଫାଇନାନ୍ସିଆଲ୍ ଅଫିସର ବା CFO ସରକାରୀ ନିର୍ଦ୍ଦେଶର ଅବମାନନା କରି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ୬୫ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ନିଯୁକ୍ତି ନଦେବା ପାଇଁ ରାଜ୍ୟ ସରକାରଙ୍କ GA ଆଣ୍ଡ PG ବିଭାଗ ପକ୍ଷରୁ ୨୦୨୪ ସେପ୍ଟେମ୍ବର ୧୨ ତାରିଖରେ ଚିଠି କରାଯାଇଛି । କିନ୍ତୁ ରାଉରକେଲା ସ୍ଟାର୍ଟ ସିଟି ଲିମିଟେଡରେ ଏହାର ବ୍ଯତିକ୍ରମ ଦେଖିବାକୁ ମିଳିଛି । ଶିକ୍ଷିତ ବେକାରଙ୍କୁ ସରକାର ନିଯୁକ୍ତି ଦେଇ ପାରୁନଥିବା ବେଳେ ସରକାରୀ ନିୟମର ଉଲ୍ଲଙ୍ଘନ କରି ଜଣେ ୬୮ ବୟସର ବ୍ୟକ୍ତି କିପରି କାମ କରୁଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ।

ରାଉରକେଲା ସ୍ମାର୍ଟସିଟି ଲିମିଟେଡ ପକ୍ଷରୁ ୧୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୱାନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। ବିଲଡିଙ୍ଗର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ଏହା ଭୁଷୁଡି ପଡିବାର ସମ୍ଭାବନା ରହିଛି । ଚିଫ ଫାଇନାନ୍ସିଆଲ୍ ଅଫିସର କାର୍ଯ୍ୟ କରିବା ସମୟରେ ବିଭିନ୍ନ ଅନୀୟମିତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏପରି ସ୍ଥିତିରେ ଚିଫ ଫାଇନାନ୍ସିଆଲ୍ ଅଫିସର ସରକାରୀ ନିର୍ଦ୍ଦେଶ ମାନି ଇସ୍ତଫା ଦେଇନଥିବାରୁ ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିଜେପି ମୁଖପାତ୍ର କହିଛନ୍ତି। ଏନେଇ ଚିଫ ଫାଇନାନ୍ସିଆଲ୍ ଅଫିସର କ୍ୟାମେରା ଆଗରେ କିଛି ମତାମତ ଦେବାକୁ ମନା କରିଥିବାବେଳେ ଘଟଣାର ଅନୁସଂଧାନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ।