ମୋଦି ଓ ପୁଟିନଙ୍କୁ ଚୀନରେ ସ୍ବାଗତ କରିବାକୁ ଜିନପିଙ୍ଗ ବ୍ୟଗ୍ର
1 min read
ନନ୍ଦିଘୋଷ ବ୍ୟୁରୋ: ଘଡ଼ିକୁ ଘଡ଼ି ଜିଓ ପଲିଟିକ୍ସରେ ହେଉଛି ବଡ଼ ପରିବର୍ତ୍ତନ । ଦ୍ବିତୀୟ ଥର ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବା ପରେ ଲଗାଇ ଥିବା ଟାରିଫ ନିଆଁ ସାରା ବିଶ୍ବର ନିଦ ହଜାଇଛି । ନୋବେଲ ପାଇଁ ମିଛର ସାହାରା ନେଇ ଟ୍ରମ୍ପ ଏମିତି ନିଷ୍ପତ୍ତି ନେଉଛନ୍ତି, ଯାହା ଆଗାମୀ ଦିନରେ ଆମେରିକାର ତଳକୁ ତଳକୁ ଟାଣିବାରେ ଲାଗିଛି । ବିଶେଷ କରି ମିତ୍ର ରାଷ୍ଟ୍ର ଭାରତକୁ ନେଇ ଟ୍ରମ୍ପଙ୍କ ଆଭିମୁଖ୍ୟ ଏକ ଅବିଶ୍ବାସର ବାତାବରଣ ସୃଷ୍ଟି କରିଛି । ଆଉ ଟ୍ରମ୍ପଙ୍କ ଏହି ପାଗଳାମୀ ବିଶ୍ବର ତିନି ମହାଶକ୍ତିଙ୍କୁ ଏକାଠି କରିବାରେ ସହାୟ ହେଉଛି । ଆମେ କେଉଁ ତିନି ମହାଶକ୍ତି ସମ୍ପର୍କରେ କହିବାକୁ ଚାହୁଁଛୁ ଆପଣ ନିଶ୍ଚିତ ଜାଣି ପାରୁଥିବେ । ଆଜ୍ଞା ହଁ ଋଷ, ଭାରତ ଓ ଚୀନ ।
ଉଭୟ ଭାରତ ଓ ଚୀନ ସହ ଋଷର ରହିଛି ଘନିଷ୍ଠ ସମ୍ପର୍କ । ଆଉ ଏ ସମ୍ପର୍କ ଏତେ ନିବିଡ଼ ଯେ, ଟ୍ରମ୍ପଙ୍କ ଟାରିଫ ଧମକ ଏହାକୁ ଭାଙ୍ଗି ପାରିବନି କି ଭାରତ ଓ ଚୀନକୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିପାରିବନି । ଯାହା ଟ୍ରମ୍ପଙ୍କ ଟାରିଫ ଘୋଷଣା ପରେ ଜଳଜଳ ହୋଇ ଦିଶୁଛି । ଟ୍ରମ୍ପଙ୍କ ଟାରିଫ ଆଗରେ କିଛି ଦେଶ ମୁଣ୍ଡ ନୁଆଁଇ ଥିଲେ ବି ଭାରତ ଓ ଚୀନ ପାଚିର ପରି ଛିଡ଼ା ହୋଇଛନ୍ତି । ଆଉ ଏହାରି ଭିତରେ ଚୀନରୁ ଏକ ଏମିତି ଖବର ଆସିଛି, ଯାହା ଶୁଣିଲେ ହୁଏତ ଟ୍ରମ୍ପଙ୍କ ନିଦ ହଜିଯିବ ।
ଆଜ୍ଞା ହଁ, ଆପଣ ତ ଜାଣି ସାରିଛନ୍ତି SCO ଶିଖର ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ଗସ୍ତରେ ଯାଉଛନ୍ତି । ଆଉ ଏହି ସମ୍ମିଳନୀରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ସାମିଲ ହେବେ । ତାଜା ଖବର ଅନୁସାରେ ଦୁଇ ମହାନ ରାଷ୍ଟ୍ରର ଶ୍ରେଷ୍ଠ ନେତାଙ୍କୁ ସ୍ବାଗତ କରିବାକୁ ଚୀନ ପ୍ରସ୍ତୁତ ହେଉଛି । ଆଉ ନିଜେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପୁଟିନ ଏବଂ ମୋଦିଙ୍କୁ ନିଜେ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇ ସାରିଛନ୍ତି । ଏହାସହ ଜିନପିଙ୍ଗଙ୍କ ଏକ ବଡ଼ ବୟାନ ମଧ୍ୟ ଆସିଛି । ଏଥିରେ ସେ କହିଛନ୍ତି ଋଷ ଓ ଚୀନ ସମ୍ପର୍କ ବିଶ୍ବରେ ସବୁଠାରୁ ସ୍ଥିର । ଋଷ-ଭରତ-ଚୀନ ସମ୍ପର୍କ ଆମ ରଣନୈତିକ ସ୍ତର ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ।
ଆମେରିକା ଓ ଭାରତ ମଧ୍ୟରେ ବିବାଦୀୟ ସ୍ଥିତି ଲାଗି ରହିଛି । ଭାରତ ଋଷରୁ ତେଲ କିଣିବାକୁ ଟ୍ରମ୍ପ ଗ୍ରହଣ କରିପାରୁନାହାନ୍ତି । ଏହି କାରଣରୁ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି । ଏହାକୁ ନେଇ ଋଷ କହିଛି, ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ ଏକ ଭୁଲ ଅଟେ ।
ଚୀନ ଗସ୍ତ ପୂର୍ବରୁ ଜାପାନ ଯିବେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୮ ଅଗଷ୍ଟରୁ ଏକ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାପାନ ଓ ଚୀନ ଗସ୍ତରେ ଯିବେ । ଏହି ସମୟରେ ସେ ଜାପାନରେ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ଏବଂ ଜିନରେ ଶଙ୍ଘାଇ ସହଯୋଗ ପରିଷଦ (SCO)ର ୨୫ତମ ବୈଠକରେ ସାମିଲ ହେବେ । ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମୋଦିଙ୍କ ଜାପାନ ଓ ଚୀନ ଗସ୍ତକୁ ନେଇ ସୂଚନା ଦିଆଯାଇଛି । ବିଦେଶ ସଚିବ ବିକ୍ରମ ମିସ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସହ ୧୫ତମ ଭାରତ- ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ସାମିଲ ହେବାକୁ ୨୯ ଓ ୩୦ ଅଗଷ୍ଟରେ ଜାପାନରେ ରହିବେ ।
ସୂଚନାଯୋଗ୍ୟ, ଜିନପିଙ୍ଗ ସହ ଋଷ ରାଷ୍ଟ୍ରପତି ପୁଟିନ, ମଧ୍ୟ ଏସିଆ, ଦକ୍ଷିଣ ଏସିଆ, ମଧ୍ୟ-ପୂର୍ବ ଓ ଦକ୍ଷିଣ-ପୂର୍ବ ଏସିଆର ବଡ଼ ବଡ଼ ନେତା ମଧ୍ୟ ଆସୁଛନ୍ତି । ପିଏମ ମୋଦି ଗତବର୍ଷ ଋଷରେ ବ୍ରିକ୍ସ ଶିଖର ସମ୍ମିଳନୀରେ ଜିନପିଙ୍ଗ ଏବଂ ପୁଟିନଙ୍କ ସହ ଭେଟ କରିଥିଲେ ।