ଗ୍ରେଟର ନୋଏଡା ହତ୍ୟା ମାମଲା ପ୍ରେମିକା ସହ ବୁଲୁଥିଲା ସ୍ବାମୀ

ନନ୍ଦିଘୋଷ ବ୍ୟୁରୋ : ଉତ୍ତରପ୍ରଦେଶ ଗ୍ରେଟର ନୋଏଡାରେ ଯୌତୁକ ଲାଗି ସ୍ତ୍ରୀକୁ ସ୍ବାମୀର ବୀଭତ୍ସ ହତ୍ୟା ଘଟଣା। ଅଭିଯୁକ୍ତ ସ୍ବାମୀ ବିପିନ ଭଟ୍ଟ ସହ ଅନ୍ୟ ଜଣେ ମହିଳାଙ୍କ ସହ ଥିଲା ସମ୍ପର୍କ। ବିପିନ ସେହି ମହିଳାଙ୍କ ସହ ବୁଲୁଥିବାବେଳେ ସ୍ବାମୀଙ୍କୁ ରେଡହ୍ୟାଣ୍ଡ ଧରିଥିଲେ ପତ୍ନୀ ନିକ୍କି ଓ ତାଙ୍କ ଭଉଣୀ। ଗତ ବର୍ଷ ଅକ୍ଟୋବରରେ ଯୁବତୀଙ୍କ ସହ ସ୍ବାମୀ ଥିବାବେଳେ ପତ୍ନୀ ସେମାନଙ୍କୁ ଠାବ କରିଥିଲେ।  ଏନେଇ ନୋଏଡାରେ ଏକ ମାମଲା ରୁଜୁ ହୋଇଥିଲା। ଗତ ଅଗଷ୍ଟ ୨୧ ତାରିଖରେ ଗୁରୁତର ଅବସ୍ଥାରେ ନିକ୍କିଙ୍କୁ ଫର୍ଟିସ ହସ୍ପିଟାଲକୁ ନିଆଯାଇଥିଲା। ତେବେ ହସ୍ପିଟାଲରେ ଭର୍ତ୍ତି ହେବା ବେଳେ ଜଳିଯିବାର କାରଣ ସିଲିଣ୍ଡର ବିସ୍ଫୋରଣ ବୋଲି ଲେଖାଯାଇଥିଲା। ମାତ୍ର ପୋଲିସ ଘଟଣାସ୍ଥଳରେ ପହଞ୍ଚିବାବେଳେ ସିଲିଣ୍ଡର ବିସ୍ଫୋରଣର କୌଣସି ପ୍ରମାଣ ନଥିଲା। ସେଠାରୁ ପୋଲିସ ଏକ ଥିନର ବୋତଲ ଓ ଏକ ଲାଇଟର ଜବତ କରିଥିଲା। ଏପରିସ୍ଥଳେ ପୋଲିସ ଫର୍ଟିସ ହସ୍ପିଟାଲର ବୟାନ ରେକର୍ଡ କରିବା ସହ ସିସିଟିଭ ଯାଞ୍ଚ କରିବ ବୋଲି ସୂଚନା ମିଳିଛି। ପୂର୍ବରୁ ନିକ୍କିଙ୍କ ଉଭଣୀ କାଞ୍ଚନ ବୟାନରେ କହିଥିଲେ ଯେ ନିକ୍କିଙ୍କ ଦେହରେ ତାଙ୍କ ସ୍ବାମୀ ଓ ସମ୍ପର୍କୀୟ ନିଆଁ ଲଗାଇଦେଇଥିଲେ। ଏହି ଘଟଣାରେ ପୋଲିସ କାଞ୍ଚନଙ୍କ ମୋବାଇଲ ଫୋନ ବି ଯାଞ୍ଚ କରିଛି। ବର୍ତ୍ତମାନ ସୁଦ୍ଧା ଘୂରିବୁଲୁଥିବା ଭିଡିଓକୁ ପୋଲିସ ଯାଞ୍ଚ କରୁଛି। ଗ୍ରେଟର ନୋଏଡା ଅନ୍ତର୍ଗତ ସିର୍ସାରେ ଗତ ୨୧ ତାରିଖରେ ଏହି ଘଟଣା ଘଟିଥିଲା।

୩୬ ଲକ୍ଷ ଟଙ୍କା ଦାବି କରି ନିକ୍କିଙ୍କ ଦେହରେ ସ୍ବାମୀ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ନିକ୍କିଙ୍କୁ ପଡ଼ୋଶୀମାନେ ଫର୍ଟିସ ହସ୍ପିଟାଲକୁ ନେଇଥିଲେ। ସେଠାରୁ ତାଙ୍କୁ ସଫଦରଗଞ୍ଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ କାସନା ପୋଲିସ ଥାନାରେ ସ୍ବାମୀ, ଦିଅର ରୋହିତ ଭଟି, ଶାଶୂ ଦୟା ଓ ଶଶୁର ସତବୀରଙ୍କ ନାମରେ ମାମଲା ରୁଜୁ ହୋଇଛି। ଖସି ପଳାଉଥିବା ବେଳେ ପୋଲିସ ଗୁଳିରେ ଆହତ ହୋଇଥିଲା ସ୍ବାମୀ ବିପିନ।