ସରିଲା ଖରିଫ ଚାଷ ପଞ୍ଜିକରଣ: ନୂଆ ନିୟମ ଚାଷୀଙ୍କ ତଣ୍ଟିରେ ସାଜିଲା କଣ୍ଟା
1 min read
ସରିଲା ଖରିଫ ଚାଷ ପଞ୍ଜିକରଣ । ନୂଆ ନିୟମ ଚାଷୀଙ୍କ ତଣ୍ଟିରେ ସାଜିଲା କଣ୍ଟା । ବିଜେଡି କହିଲା, ଲକ୍ଷ ଲକ୍ଷ ଚାଷୀ ପଞ୍ଜିକରଣରୁ ବାଦ । ସାର କଳାବଜାରୀରେ ବଳି ଗଲାଣି ଚାଷୀଙ୍କ ଦୁଃଖ । ପଞ୍ଜିକରଣ ଠାରୁ ବଳି ଗଲାଣି ସାର କଳାବଜାରୀ। ସାର ଅଭାବକୁ ନେଇ ଚାଷୀ ହନ୍ତସନ୍ତ ହେଉଥିବା ବେଳେ, ଜିଲ୍ଲାକୁ ଜିଲ୍ଲା ବ୍ୟାପିବାରେ ଲାଗିଛି ସାର କଳାବଜାରୀ। ନକଲି ସାର ବିକ୍ରି ହୋଇଥିବାରୁ ରାଜ୍ୟର ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ସରକାରଙ୍କ ନୂଆ ନିୟମ ପାଇଁ ଖରିଫ ଧାନ ବିକ୍ରି କରିବାରୁ ବଞ୍ଚି ହୋଇଛନ୍ତି ରାଜ୍ୟର ଲକ୍ଷ ଲକ୍ଷ ଚାଷୀ। ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଧାନ ବିକ୍ରି ଠାରୁ ସାର ଯୋଗାଣ ଯାଏ ସବୁଥିରେ ସରକାର ଫେଲ। ସ୍ବଚ୍ଛତାକୁ ଆଳ କରି ସରକାର ପ୍ରକୃତ ଚାଷୀଙ୍କୁ ଧାନ ବିକ୍ରି କରିବାରେ ବଞ୍ଚିତ କରିଛନ୍ତି । ଧାନକିଣାରେ ସରକାରଙ୍କ ନୂଆ ନିୟମ ଜଟିଳ ହୋଇଥିବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି। ଏହାକୁ ବିରୋଧ କରି ବରଗଡ଼ରେ ପ୍ରତିବାଦ କରିଥିଲା ବିଜେଡି। ବିଧାନସଭାରେ ବିଜେଡି ଏ ସବୁର ହିସାବ ମାଗିବ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସେହିପରି ରାଜ୍ୟରେ ସାରର ଅଭାବ ନଥିବା ବେଳେ, ସରକାର ଏହାକୁ ଠିକ ଭାବେ ଚାଷୀଙ୍କ ପାଖରେ ପହଞ୍ଚାଇ ପାରୁନଥିବା ଅଭିଯୋଗ କରିଛି ବିଜେଡି। ଅନ୍ୟପଟେ କୃଷିମନ୍ତ୍ରୀ କେ.ଭି ସିଂହଦେଓ କହିଛନ୍ତି, ସାର କଳାବାଜରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଆଯାଇଛି ନିର୍ଦ୍ଦେଶ।
ସେପଟେ ପିପିସି ସଭାପତି ଭକ୍ତ ଦାସ ଅଭିଯୋଗ କରିଛନ୍ତି, ସାର କଳାବଜାରୀ ଯୋଗୁଁ ତିନି ଗୁଣ ଚଢା ଦରରେ କିଣି ହନ୍ତସନ୍ତ ହେଉଛନ୍ତି ଚାଷୀ। କୃଷିମନ୍ତ୍ରୀ ତୁରନ୍ତ ୟୁରିଆ କଳାବଜାରୀ ରୋକିବା ସହ କୃଷକଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ଦାବି କରିଛି କଂଗ୍ରେସ। ସେପଟେ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ଯୋଗାଣ ମନ୍ତ୍ରୀଙ୍କୁ ଲାଗିଛି ରେକର୍ଡ ନିଶା । ଗତ ବର୍ଷ ଅପେକ୍ଷା ଏଥର ଖରିଫରେ ଚାଷୀ ପଞ୍ଜିକରଣ ଅଧିକ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ। ୨୦୨୫-୨୬ ଖରିଫ ଧାନ ବିକ୍ରୀ କରିବାରେ ସରକାରଙ୍କ ନୂଆ ନିୟମକୁ ନେଇ ଆରମ୍ଭରୁ ହଇରାଣ ହୋଇଛନ୍ତି ଚାଷୀ। ବହୁ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିନଥିବାରୁ, ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି। ଏଭଳି ସ୍ଥିତିରେ ସାର କଳାବଜାରୀ ଚାଷୀଙ୍କ ସମସ୍ୟାକୁ ଦୁଇ ଗୁଣିତ କରିଛି। ଯାହା ସରକାରଙ୍କ ଚାଷୀ ମାରଣନୀତିକୁ ପଦାରେ ପକାଇଛି।