ସାର ପାଇଁ ନୟାନ୍ତ ଚାଷୀ: ମିଳୁନି ୟୁରିୟା, ବଢୁଛି କଳାବଜାରୀ

ସାର ପାଇଁ ନୟାନ୍ତ ଚାଷୀ । ମିଳୁନି ୟୁରିୟା, ବଢୁଛି କଳାବଜାରୀ । ବେଫିକର ପ୍ରଶାସନ, ହନ୍ତସନ୍ତ ଚାଷୀକୂଳ । କୋରାପୁଟ ଜିଲ୍ଲାର ପ୍ରାୟ 80 ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଚଳିତବର୍ଷ ଭଲ ବର୍ଷା ହୋଇଥିବାରୁ ଦୁଇପଇସା ରୋଜଗାର ହେବା ଆଶାରେ ଚାଷୀ । ଅଧିକାଂଶ ଜମିରେ ଆରମ୍ଭ ହେଲାଣି ଧାନରୁଆ । ହେଲେ ଚାଷୀଙ୍କୁ ମିଳନୁ ସାର । ସରକାରୀ ସ୍ତରରେ ଗୋଟିଏ ବସ୍ତା ୟୁରିୟା ସାର ପାଇଁ ଦିନ ଦିନ ଜଗିବାକୁ ପଡୁଛି । ଗୋଟିଏ ଆଧାର କାର୍ଡରେ ମାତ୍ର ୨ ବସ୍ତା ସାର ମିଳୁଥିବା ବେଳେ ଯାହାର ଅଧିକ ଜମି ଅଛି ସେମାନେ ବାଧ୍ୟହୋଇ ଅଧିକ ଦରରେ କିଣୁଛନ୍ତି । ବସ୍ତା ପିଛା ୨୭୦ ଟଙ୍କା ବଦଳରେ ବାହାରୁ ୯ ଶହ ଟଙ୍କାରେ କିଣୁଛନ୍ତି । ବାରମ୍ବାର ପ୍ରତିବାଦ ପରେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଜିଲ୍ଲାର ଜୟପୁର ଉପଖଣ୍ଡ ଜୟପୁର, କୁନ୍ଦୁରା, ବୋରିଗୁମ୍ମା, କୋଟପାଡ, ବୌପାରିଗୁଡା ବ୍ଲକରେ ଚାଷୀ ସାର ପାଇଁ ନୟାନ୍ତ । କୃଷି ବିଭାଗ ଓ କଳାବଜାରୀଙ୍କ ମଧ୍ଯରେ ମଧୂଚନ୍ଦ୍ରିକ ଯୋଗୁଁ ସାର ମିଳୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ଆସନ୍ତା କାଲି ଜିଲ୍ଲା କୃଷୀ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ଉପସଭାପତି ରବି ନାରାୟଣ ନନ୍ଦ । ୬ ଟି ବ୍ଲକର ଚାଷୀ ସହିତ ଚାଷୀ ସଂଗଠନ ସମେତ ବିଜେଡି ରାଜରାସ୍ତାକୁ ଓହ୍ଲାଇବେ ।