ଶ୍ରୀମନ୍ଦିରରେ ଆଜି ପାଳନ ହେବ ନିକୁଞ୍ଜ ଲୀଳା

ପୁରୀ: ପବିତ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶ୍ରୀକୃଷ୍ଣଜନ୍ମାଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଏବଂ ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀକୃଷ୍ଣ ଲୀଳା। ଏହି କ୍ରମରେ ଆଜି ଭାଦ୍ରବ ଶୁକ୍ଳ ଦ୍ୱିତୀୟା ତିଥି ଅବସରରେ ଶ୍ରୀମନ୍ଦିରରେ ନିକୁଞ୍ଜ ଲୀଳା ନୀତି ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପ ବଢ଼ିବା ପରେ ମଦନମୋହନ ମହାଜନ ସେବକଙ୍କ ହସ୍ତରେ ରତ୍ନ ସିଂହାସନକୁ ବିଜେ ହେବେ । ସେଠାରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ପାଇ ସେଠାରୁ ନାଟ ମନ୍ଦିର ଖଟଶେଜ ଉପରେ ବିଜେ କରିବେ । ଶୀତଳ ଭୋଗ ଓ ବନ୍ଦାପନା ସମ୍ପନ୍ନ ହେବା ପରେ ହରିଚଣ୍ଡୀ ସାହିର ଆଖଡ଼ା ପକ୍ଷରୁ ନିକୁଞ୍ଜ ଲୀଳା ପ୍ରସ୍ତାବ ଆଗତ କରାଯିବ । ସେହି ଦ୍ୱାପର ଯୁଗର ଲୀଳାକୁ ସ୍ମରଣ କରାଯାଇ ଶ୍ରୀମନ୍ଦିରରେ ଏହି ଲୀଳା ଅନୁଷ୍ଠିତ ହେବ । ମହାପ୍ରଭୁଙ୍କର ବିଭିନ୍ନ ଲୀଳା ମଧ୍ୟରେ ଏହା ଅନ୍ୟ ଏକ ଲୀଳା ଅଟେ ।

ଆଜି ମହାପ୍ରଭୁଙ୍କର ଶ୍ରୀମନ୍ଦିରରେ ନିକୁଞ୍ଜ ଲୀଳା ଅନୁଷ୍ଠିତ ହେବ । ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରଠୁ ଶ୍ରୀମନ୍ଦିରରେ ଚାଲି ଆସୁଥିବା ଶ୍ରୀକୃଷ୍ଣ ଲୀଳା କ୍ରମରେ ଆଜି ସନ୍ଧ୍ୟା ଧୂପ ପରେ ଏହି ସ୍ୱତନ୍ତ୍ର ନିକୁଞ୍ଜ ଲୀଳା ବିଧି ପାଳନ କରାଯିବ । ଆଜି ଭାଦ୍ରବ ଶୁକ୍ଳ ଦ୍ୱିତୀୟା ତିଥିରେ ରାମକୃଷ୍ଣ ନାଟ ମଣ୍ଡପରେ ବିଜେ ହେବା ପରେ ହରଚଣ୍ଡୀ ସାହି ଲୋକେ ଏହି ସ୍ୱତନ୍ତ୍ର ନିକୁଞ୍ଜ ଲୀଳା ପ୍ରସ୍ତାବ କରିବେ । ତେବେ ପୌରାଣିକ କଥାବସ୍ତୁ ଅନୁଯାୟୀ ଶ୍ରୀକୃଷ୍ଣ କିଶୋର ଅବସ୍ଥାରେ ଗୋପଲୀଳା କରୁଥିବା ବେଳେ ଗୋପୀଙ୍କ ଭିତରେ କଂସ ଦ୍ୱାରା ପ୍ରେରିତ ଜଣେ ରାକ୍ଷସୀ ମାୟା କରି ଶ୍ରୀକୃଷ୍ଣଙ୍କୁ ମୋହିତ କରି ହରଣ ପାଇଁ ଚେଷ୍ଟା କରିଥିଲେ । ତେବେ ଶ୍ରୀକୃଷ୍ଣ ଏହା ଜାଣି ପାରି ଗୋପୀରୂପୀ ରାକ୍ଷସୀଙ୍କୁ ବଶୀଭୂତ କରି ବିଦା କରିଦେଇଥିଲେ । ଯାହାକୁ ଶ୍ରୀକୃଷ୍ଣଙ୍କ ନିକୁଞ୍ଜ ଲୀଳା ରୂପେ ବିବେଚନା କରାଯାଏ  ।ଗତକାଲି ଶ୍ରୀମନ୍ଦିରରେ ପବିତ୍ର ଦାବାଗ୍ନି ଲୀଳା ଅନୁଷ୍ଠିତ ହୋଇଥିଲା ।