ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ କ୍ରିକେଟର ଚେତେଶ୍ୱର ପୂଜାରା

ନନ୍ଦିଘୋଷ ବ୍ୟୁରୋ  : ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ କ୍ରିକେଟର ଚେତେଶ୍ୱର ପୂଜାରା । ଟେଷ୍ଟ କ୍ରିକେଟର ସର୍ବୋତ୍ତମ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ ଅଭିଜ୍ଞ ଭାରତୀୟ କ୍ରିକେଟର ହେଲେ ଚେତେଶ୍ୱର ପୂଜାରା । ଏବେ ସେ ଭାରତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଏହି ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ଶେୟାର କରିଛନ୍ତି। ପୂଜାରାଙ୍କ କ୍ୟାରିୟର ବହୁତ ଚମତ୍କାର ରହିଛି। ସେ ଭାରତୀୟ କ୍ରିକେଟରେ ଥିବା ସମୟରେ ବହୁତ ରୋଜଗାର ମଧ୍ୟ କରିଥିଲେ।

ସୂଜନା ଅନୁଯାୟୀ, ଚେତେଶ୍ୱର ପୂଜାରାଙ୍କ ମୋଟ ସମ୍ପତ୍ତି ପ୍ରାୟ ୨୪ କୋଟି। ତାଙ୍କର ମାସିକ ଆୟ ପ୍ରାୟ ୧୫ ଲକ୍ଷ ହୋଇଛି। ୨୦୨୨-୨୩ରେ, ତାଙ୍କୁ ବିସିସିଆଇର ବି ଗ୍ରେଡ ଚୁକ୍ତିନାମାରେ ସାମିଲ କରାଯାଇଥିଲା ଯାହା ଅନୁଯାୟୀ ସେ ବାର୍ଷିକ ୩ କୋଟି ଦରମା ପାଉଥିଲେ। ପୂଜାରା ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ, କମେଣ୍ଟ୍ରି ମାଧ୍ୟମରେ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରନ୍ତି।

୩୭ ବର୍ଷୀୟ ପୂଜାରା ତାଙ୍କ ଚମତ୍କାର କ୍ୟାରିୟରରେ ଭାରତ ପାଇଁ ୧୦୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ସେ ୭,୧୯୫ ରନ କରିଛନ୍ତି ଏବଂ ୪୩.୬ ହାରାହାରି ବ୍ୟାଟିଂ କରିଛନ୍ତି। ସେ ତାଙ୍କ କ୍ୟାରିୟରରେ ୧୯ଟି ଶତକ ଏବଂ ୩୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ଏବଂ ଦୀର୍ଘ ଫର୍ମାଟରେ ଭାରତୀୟ ଦଳରେ ରନ ମେସିନର ଭୂମିକା ନିର୍ବାହ କରିଛନ୍ତି। ପୂଜାରା ୨୦୧୮-୧୯ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ ଆଡିଲେଡ, ମେଲବୋର୍ଣ୍ଣ ଏବଂ ସିଡନୀରେ ଶତକ ହାସଲ କରି ଭାରତର ଐତିହାସିକ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୨୦୨୦-୨୧ ଅଷ୍ଟ୍ରେଲିଆ ଗସ୍ତରେ ସେ ଚାରୋଟି ଟେଷ୍ଟ ମ୍ୟାଚରେ ୯୨୮ ବଲ ସାମ୍ନା କରି ଚମତ୍କାର ପ୍ରଦର୍ଶନ କରିଥିଲେ। ଚେତେଶ୍ୱର ପୂଜାରା ଭାରତୀୟ କ୍ରିକେଟକୁ ଯେଉଁ ସମର୍ପଣ, ସ୍ଥିରତା ଏବଂ ସମ୍ମାନ ଆଣିଥିଲେ ତାହା ସର୍ବଦା ମନେ ରହିବ।