ପ୍ରଥମ ଥର ପାଇଁ ମା’ ତାରାତାରିଣୀ ପୀଠରେ ମିଳିବ ମେସିନ୍ ଚାଳିତ ଅନ୍ନପ୍ରସାଦ

ପୁରୁଷୋତ୍ତମପୁର : ଗଞ୍ଜାମ ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ଭକ୍ତଙ୍କ ପାଇଁ ଖୁସିଖବର ।  ପ୍ରଥମ ଥର ପାଇଁ ବାହାରିବ ମେସିନ୍ ଚାଲିତ ଅନ୍ନ ପ୍ରସାଦ ।  ଗଣେ ଚତୁର୍ଥୀରୁ ଲାଗୁ ହେବ ବ୍ୟବସ୍ଥା । ଏନେଇ  ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ମା’ତାରାତାରିଣୀ ପୀଠ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାମ ତଦାରଖ କରିବା ସହ ଅନ୍ନ ପ୍ରସାଦ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ଏକକୋଟିରୁ ଅଧିକ ଟଙ୍କା ବ୍ୟୟରେ ସ୍ଥାପିତ ଅତ୍ୟାଧୁନିକ ସ୍ବୟଂଚାଳିତ ରନ୍ଧନ ମେସିନ ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତ ହୋଇ ସ୍ବଳ୍ପ ମୂଲ୍ୟରେ ଭକ୍ତଙ୍କୁ ଯୋଗାଇଦିଆଯିବ । ପୂର୍ବରୁ କେବଳ ମାଙ୍କ ଭୋଗ ପରେ ଅଳ୍ପ ସଂଖ୍ୟକ ଭକ୍ତ ଅନ୍ନ ଭୋଗ ପାଉଥିଲେ । ବର୍ତ୍ତମାନ ସମସ୍ତ ଭକ୍ତ ମାନେ ପ୍ରତିଦିନ ଅନ୍ନ ପ୍ରସାଦ ପାଇପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ ।

ଏହି ଆଦିଶକ୍ତି ପୀଠକୁ ଓଡ଼ିଶା ଓ ଓଡ଼ିଶା ବାହାରୁ ମାଆଙ୍କ ଦର୍ଶନ ପାଇଁ ଛୁଟି ଆସୁଛନ୍ତି । ବସ୍ ଯୋଗେ ପାହାଡ ଉପରେ ଥିବା ମନ୍ଦିରରେ ମାଆଙ୍କୁ ଦର୍ଶନ କରିଥାନ୍ତି । କିନ୍ତୁ ପାହାଡ ଉପରେ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦ ମିଲିପାରୁନଥିବାରୁ ନିରାଶ ହୋଇ ଫେରିଥାନ୍ତି  । କିନ୍ତୁ ଏବେ ଅନ୍ନ ପ୍ରସାଦ ମିଳିବା ନେଇ ଶୁଣିବା ପରେ ଶ୍ରଦ୍ଧାଳୁଙ୍କ ମନରେ ଖୁସି ଲହରି ଦେଖିବାକୁ ମିଳିଛି । ଅନ୍ନ ପ୍ରସାଦ ରେ ଅନ୍ନ,ଡାଲମା , ଘାଣ୍ଟ ତରକାରୀ,ଖଟା,ଶାଗ,ଚଣା ଭଜା ଓ ଖିରି ଭଳି ବିଭିନ୍ନ ଭୋଗ ମାଙ୍କ ପାଖରେ ପୂଜା ପରେ ଲୋକଙ୍କୁ ପରସା ଯିବ । ପୂର୍ବରୁ ଉପଜିଲ୍ଲାପାଳ ଡ.ଶିବାଶିଷ ବରାଳଙ୍କ ଅଧ୍ୟକ୍ଷତାରେ ଗତମାସ ୩୧ ତାରିଖରୁ ଅନ୍ନପ୍ରସାଦ ବଣ୍ଟନର ଶୁଭାରମ୍ଭ ହେବ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ତାହା କାର୍ଯ୍ୟକାରୀ ହୋଇ ପାରିଲ ନାହିଁ । ବର୍ତ୍ତମାନ ଜିଲ୍ଲାପାଳଙ୍କ ସମୀକ୍ଷା ପରେ ଗଣେଶ ଚତୁର୍ଥୀ ଠାରୁ ନିୟମିତ ଅନ୍ନ ପ୍ରସାଦ ମିଳିବ ବୋଲି ଆଶା ରଖିଛନ୍ତି ଭକ୍ତ ।