ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ଗିରଫ

1 min read

ସରକାରୀ ଅନୁଦାନ ହେରଫେର ଅଭିଯୋଗ। ଗିରଫ ହେଲେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ। ଗତ ୨୦୨୩ ସେପ୍ଟେମ୍ବରରେ ତାଙ୍କ ଲଣ୍ଡନ ଗସ୍ତ ସମ୍ପର୍କରେ ଜେରା ପରେ ତାଙ୍କୁ ପୋଲିସ ହେପାଜତକୁ ନିଆଯାଇଛି। ରାଷ୍ଟ୍ରପତି ଥିବାବେଳେ ଏକ ଉତ୍ସବରେ ଯୋଗଦେବା ଲାଗି ସେ ବ୍ରିଟେନର ଏକ ବିଶ୍ବବିଦ୍ୟାଳୟକୁ ଯାଇଥିଲେ। ବ୍ୟକ୍ତିଗତ କାରଣକୁ ନେଇ ସେ ସରକାରୀ ପାଣ୍ଠିର ଅପବ୍ୟବହାର କରିଥିବାରୁ ତାଙ୍କୁ ଗିରଫ କରାଯାଇଛି। ହାଭାନାରେ ଗ୍ରୁପ ୭୭ ସମ୍ମିଳନୀରେ ଯୋଗଦେଇ ଫେରିବାବେଳେ ସେ ଲଣ୍ଡନରେ ରହିଥିଲେ। ସେ ଓ ପତ୍ନୀ ମୈତ୍ରପ ୟୁନିଭର୍ସିଟି ଅଫ ଓଭରହାମ୍ପଟନରେ ଆୟୋଜିତ ଏକ ଉତ୍ସବରେ ଯୋଗଦେଇଥିଲେ। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାନିଲ। ଏହି ମାମଲାରେ ତାଙ୍କର ବୟାନ ରେକର୍ଡ କରିବା ପାଇଁ ବିକ୍ରମସିଙ୍ଘେ CID କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏଠାରେ ତାଙ୍କୁ ଗିରଫ କରାଯାଇଥିଲା।

ଶ୍ରୀଲଙ୍କାର ସବୁଠାରୁ ଖରାପ ଆର୍ଥିକ ସଙ୍କଟ ପରେ ୨୦୨୨ରେ ଦେଶର ଅର୍ଥନୀତିକୁ ସ୍ଥିର କରିବା ପାଇଁ ବିକ୍ରମସିଙ୍ଘେଙ୍କୁ ଶ୍ରେୟ ଦିଆଯାଏ, କିନ୍ତୁ ସେ ସେପ୍ଟେମ୍ବରରେ ପୁଣି ନିର୍ବାଚନରେ ହାରିଗଲେ।ଦକ୍ଷ ରାଜନେତା ଓ ବିଚକ୍ଷଣ କୂଟନୀତିଜ୍ଞ ଭାବେ ଖ୍ୟାତି ଅର୍ଜନ କରିଥିଲେ ରାନିଲ । ସେ ପ୍ରଥମେ ୟୁନାଇଟେଡ ନ୍ୟାସନାଲ ପାର୍ଟିରେ ଯୋଗ ଦେଇଥିଲେ । ୧୯୭୭ରେ ତତକାଳୀନ ଜେ.ଆର ଜୟବର୍ଦ୍ଧନେ ସରକାରରେ ସେ ଥିଲେ ବୈଦେଶିକ ବ୍ୟାପାର ଉପମନ୍ତ୍ରୀ । ପ୍ରଥମ ଥର ଲାଗି ଅଗଷ୍ଟ ୧୯୯୩ରରୁ ୧୯୯୪ ହୋଇଥିଲେ ପ୍ରଧାନମନ୍ତ୍ରୀ । ମେ ୨୦୨୨ରେ ସେ ପଞ୍ଚମ ଥର ଲାଗି ପ୍ରଧାନମନ୍ତ୍ରୀ ହୋଇଥିଲେ । ଗତ ୨୦ ଜୁଲାଇ ୨୦୨୨ରେ ରାନିଲ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ।