ଜାତୀୟ ରାଜପଥରେ ଟ୍ରାଫିକ ଜାମ ଯନ୍ତ୍ରଣା: ବରମୁଣ୍ଡାରୁ ଆଇଗିଣିଆ ଲାଗୁଛି ଗୋଟିଏ ଘଣ୍ଟା

ଜାତୀୟ ରାଜପଥରେ ଟ୍ରାଫିକ ଜାମ ଯନ୍ତ୍ରଣା। ବରମୁଣ୍ଡାରୁ ଆଇଗିଣିଆ ଲାଗୁଛି ଗୋଟିଏ ଘଣ୍ଟା। ଜାତୀୟ ରାଜପଥରେ ଅସମ୍ଭାଳ ଭିଡ। ଗାଡ଼ିର ଲମ୍ବା ଲାଇନ, ଅସନ୍ତୋଷ ଜାହିର କଲେ ପଥଚାରୀ। ସକାଳରୁ ମଧ୍ଯରାତ୍ରି, ଯେତେବେଳେ ଯିବ ସେତେବେଳେ ଭିଡ। ଭିଡରେ ଫସିଲା ଆମ୍ବୁଲାନ୍ସ ଓ ଦମକଳ ଗାଡି। ଦିନେ କି ଦୁଇ ଦିନ ନୁହଁ, ୧୦ ଦିନ ଧରି ରାସ୍ତାରେ ହନ୍ତସନ୍ତ ହେବେ ଲୋକେ। ୧୬ ନମ୍ବର ଜାତୀୟ ରାଜପଥ। ଏହି ରାସ୍ତା ରାଜଧାନୀ ଭୁବନେଶ୍ଵରର ପ୍ରମୁଖ ପ୍ରବେଶ ପଥ ହୋଇଥିବାରୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଗାଡ଼ି ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି । ଖଣ୍ଡଗିରି ଫ୍ଲାଇ ଓଭରର ଗ୍ରେଡ୍ ସେପାରେଟର ଷ୍ଟ୍ରକଚର ମରାମତି ଯୋଗୁଁ ଖଣ୍ଡିଗିରିରୁ ଖୋର୍ଦ୍ଧା ପଟ ରାସ୍ତାକୁ ବନ୍ଦ କରାଯାଇ ସର୍ଭିସ ରାସ୍ତା ବ୍ୟବହାର କରାଯାଉଛି। ଫଳରେ ଭୁବନେଶ୍ଵରରୁ ଖୋର୍ଦ୍ଧା ଯାଉଥିବା ଗାଡି ଖାରବେଳ ହୋଟେଲ୍ ପାଖରୁ ରୀତା ଟିଭିଏସ୍ ଶୋରୁମ୍ ପର୍ଯ୍ୟନ୍ତ ସର୍ଭିସ ରାସ୍ତାରେ ଯାଉଛନ୍ତି। ହେଲେ କଟକଣାର ପ୍ରଥମ ଦିନରୁ ଆରମ୍ଭ ହୋଇଛି ଟ୍ରାଫିକ ବିଭ୍ରାଟ। ଦିନ କଥା ଛାଡନ୍ତୁ, ସନ୍ଧ୍ୟା ୫ଟା ହେଲେ ଆରମ୍ଭ ହେଉଛି ଅସମ୍ଭାଳ ଭିଡ। ଗଣମାଧ୍ଯମରେ ଖବର ପ୍ରସାରଣ ପରେ ରାସ୍ତାର ଗୋଟିଏ ଲେନ ଖୋଲାଯାଇ ଯାନାବାହନ ଛଡ଼ାଯାଉଛି। ତେବେ ଏନଏଚଏଆଇର ଏଭଳି କାର୍ଯ୍ୟଶୈଳୀକୁ ନେଇ ବର୍ଷିଛନ୍ତି ଲୋକେ।
ଭୁବନେଶ୍ଵର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଦେଶର ଅନ୍ୟତମ ଗୁରୁତ୍ବପୂର୍ଣ ରାଜପଥ । ତାମିଲନାଡୁ, ଅନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ଯୋଗାଯୋଗ କରୁଛି। ଭୁବନେଶ୍ବର, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଆଦି ଜିଲ୍ଲାରୁ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଫୁଲବାଣୀ ଆଦି ଜିଲ୍ଲାକୁ ଯିବାକୁ ହେଲେ ଏହା ହିଁ ପ୍ରମୁଖ ରାସ୍ତା । ଟିକେ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ। ପଶ୍ଚିମବଙ୍ଗରୁ ଭୁବନେଶ୍ବର ଦେଇ ଅନ୍ଯ ରାଜ୍ଯକୁ ଯାଉଥିଲା ଏହି ଗାଡ଼ି। କିନ୍ତୁ ଭିଡରେ ଘଣ୍ଟାଏ ଫସିବା ପରେ ଗାଡି ଇଞ୍ଜିନରୁ ଧୂଆଁ ବାହାରିବା ସହିତ ମଝି ରାସ୍ତାରେ ଅଟକିବାକୁ ପଡ଼ିଛି। ଜାତୀୟ ରାଜପଥ ମରାମତି ନେଇ ୨୧ ତାରିଖରୁ ଆସନ୍ତା ୧ ତାରିଖ ପର୍ଯ୍ଯନ୍ତ ଭୁବନେଶ୍ବରରୁ ଖୋର୍ଦ୍ଧା ପଟ ରାସ୍ତା ବନ୍ଦ ରହିବ। ଏନେଇ ଲୋକଙ୍କ ଲାଗି ବିଜ୍ଞପ୍ତି ଜାରି ହୋଇଥିଲେ ମଧ୍ୟ ସମସ୍ତେ ଅବଗତ ନାହାନ୍ତି। ଯାହା ଫଳରେ ଯାତ୍ରୀ ଭିଡରେ ଫସିବା ସାଙ୍ଗକୁ ଅସୁବିଧାର ସମୁଖୀନ ହେଉଛନ୍ତି।