ପୋଲାଭରମ ପ୍ରକଳ୍ପକୁ ନେଇ କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟରେ ପୁଣି ଆପତ୍ତି ଉଠାଇଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ପୋଲାଭରମ ପ୍ରକଳ୍ପକୁ ନେଇ ବିଜେଡି ପୁଣି ଥରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟରେ ଆପତ୍ତି ଉଠାଇଛି । ପୂର୍ବରୁ ଓଡିଶା ଏନେଇ ଆପତ୍ତି ଉଠାଇଥିଲେ ମଧ୍ୟ କମିଶନ ଏହାକୁ ଗୁରୁତ୍ବ ଦେଉ ନଥିବା ଅଭିଯୋଗ କରିଛି ଦଳ । ପୋଲାଭରମ ପ୍ରକଳ୍ପର ସଂଶୋଧିତ ଡିଜାଇନ ଦ୍ବାରା ଓଡିଶାର ବହୁ ଆଦିବାସୀ ଗାଁ ବୁଡିଯିବାର ଆଶଙ୍କା ରହିଛି । କିନ୍ତୁ ଓଡିଶା ଓ ପ୍ରଭାବିତ ହେଉଥିବା ଅନ୍ୟ ରାଜ୍ୟର ଉଦବେଗକୁ ଗୁରୁତ୍ବ ନଦେଇ କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଯୋଗାଇ ଚାଲିଛନ୍ତି । ୨୦୨୨ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁଯାୟୀ ପ୍ରଭାବିତ ହେବାକୁ ଥିବା ସବୁ ରାଜ୍ୟ ସହ ଆଲୋଚନା ସାଙ୍ଗକୁ ରାଜ୍ୟର ସ୍ବାର୍ଥ ପୂରଣ ନହେବା ଯାଏଁ କାମ ଉପରେ ରୋକ ଲଗାଇବାକୁ ଦାବି କରିଛି ବିଜେଡି । ସେପଟେ ବିଜେପି କହିଛି ସରକାରରୁ ଯିବା ପରେ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡି ।
ଓଡିଶାର ସ୍ବାର୍ଥ ରକ୍ଷା ପାଇଁ ଦିଲ୍ଲୀରେ ଲଢେଇ ଜାରି ରଖିଛି ବିଜେଡି । ପୋଲାଭରମ ପାଇଁ ହେବାକୁ ଥିବା କ୍ଷତି ନେଇ ପୁଣି କେନ୍ଦ୍ରୀୟ ଜଳ ଆୟୋଗରେ ଆପତ୍ତି କରିଛି ଦଳ । ମାଲକାନଗିରିର ଆଦିବାସୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବାକୁ ଦାବି । ପୋଲାଭରମ ପ୍ରକଳ୍ପ ପାଇଁ ମାଲକାନଗିରି ଜିଲ୍ଲାର କାଲିମେଳା ଓ ପଡିଆ ବ୍ଲକର ବହୁ ଆଦିବାସୀ ଗାଁ ବୁଡିଯିବ । ଓଡିଶା, ଆନ୍ଧ୍ରପ୍ରଦେଶ ଓ ଛତିଗଡର ଏକାଧିକ ସର୍ଭେ ରିପୋର୍ଟ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି । ଏପରିକି ଗତ ଫେବୃଆରୀ ମାସରେ ଏହି ତିନି ରାଜ୍ୟ ଓ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଆଦିବାସୀ ଲୋକଙ୍କୁ ନେଇ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ସବୁ ରାଜ୍ୟ ଓ ଆଦିବାସୀ ଲୋକମାନେ ପ୍ରକଳ୍ପକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ବିଜେଡି ଏହାକୁ ନେଇ ୨୦୨୨ରୁ ଆଇନଗତ ଲଢେଇ ଲଢି ଆସୁଛି । ସୁପ୍ରିମକୋର୍ଟ ମଧ୍ୟ ୨୦୨୨ରେ ପ୍ରକଳ୍ପ ସମ୍ପ୍ରସାରଣକୁ ନେଇ ପ୍ରଶ୍ନ ଉଠାଇଥିଲେ । ବିଜେଡି ମଧ୍ୟ ପ୍ରକଳ୍ପ ଦ୍ବାରା ହେବାକୁ ଥିବା କ୍ଷତି ସମ୍ପର୍କରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ହେଲେ ଓଡିଶାର ଦାବିକୁ ଅଣଦେଖା କରି ପ୍ରକଳ୍ପ ସମ୍ପ୍ରସାରଣକୁ ଅନୁମତି ଦେବା ସହ କେନ୍ଦ୍ର ସରକାର ଏଥିପାଇଁ ନିୟମିତ ବ୍ୟବଧାନରେ ଆର୍ଥିକ ସହାୟତା କରିଚାଲିଛନ୍ତି । ଏହାକୁ ନେଇ ପୁଣି ଥରେ ସିଡବ୍ଲୁସିରେ ଆପତ୍ତି ଉଠାଇଛି ବିଜେଡି ।
ତେଣୁ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ହେବାକୁ ଥିବା ରାଜ୍ୟ ଓ ଲୋକଙ୍କ ସହ ଆଲୋଚନା କରିବାକୁ ଦାବି କରିଛି ବିଜେଡି । ଏଥିସହିତ ଓଡିଶାର ଦାବି ପୂରଣ ନହେବା ଯାଏଁ ପ୍ରକଳ୍ପ କାମ ବନ୍ଦ କରାଯାଉ । ପ୍ରଭାବିତ ହେଉଥିବା ଥିବା ଆଦିବାସୀଙ୍କ ଉପଯୁକ୍ତ ଥଇଥାନ ପାଇଁ ମଧ୍ୟ ଦାବି କରିଛି ବିଜେଡି । ସେପଟେ ବିଜେଡିର ଦାବିକୁ କୁମ୍ଭୀର କାନ୍ଦଣା ବୋଲି କହିଛି ବିଜେପି ।