ରାଜଧାନୀ ରିଙ୍ଗ ରୋଡକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ ତେଜିଲା ଶ୍ରେୟ ରାଜନୀତି

1 min read

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀ ରିଙ୍ଗ ରୋଡକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମନ୍ତ୍ରୀ ପରିଷଦ ଓ ବିଧାୟକମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । କ୍ୟାପିଟାଲ ରିଜିଅନ ରିଂ ରୋଡ ହେଲେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହେବ। ଆଇଟି, ଟେକ୍ସଟାଇଲ କ୍ଷେତ୍ରରେ ପୁଞ୍ଜିନିବେଶ ସହ ଖୋର୍ଦ୍ଧା-ଭୁବନେଶ୍ବର-କଟକ-ଚୌଦ୍ବାର ଯାଏଁ ରାଜଧାନୀ ଅଞ୍ଚଳ ପରିବ୍ୟାପ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅମଳରେ ୨୦୨୧ରେ ଏହି ପ୍ରକଳ୍ପ ପାଇଁ ନିଷ୍ପତ୍ତି ହୋଇଥିଲା ବୋଲି ବିଜେଡ଼ି କହିଛି । କଂଗ୍ରେସ କ୍ୟାବିନେଟ ପ୍ରସ୍ତାବକୁ ସ୍ବାଗତ କରିଥିବା ବେଳେ ଏଥିପାଇଁ ଅର୍ଥ ବ୍ୟବସ୍ଥା ଗୁରୁତ୍ବପୂର୍ଣ୍ଣ ବୋଲି କହିଛି ।

ଖୋର୍ଦ୍ଧାର ରାମେଶ୍ବରରୁ ଭୁବନେଶ୍ବର-କଟକ-ବାଙ୍କୀ-ଚୌଦ୍ବାର ଦେଇ କଟକର ଟାଙ୍ଗୀ ଯାଏଁ ଲମ୍ବିବ ସିଆରଆରଆର୍ । ୧୧୧ କିଲୋମିଟର ୬ ଲେନ ରାସ୍ତା ପାଇଁ କେନ୍ଦ୍ର ସରକାର ଦେବେ ୮ ହଜାର ୩୪୨ କୋଟି ଟଙ୍କା । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ପ୍ରତି ଥିବା ଭଲ ପାଇବାର ଏହା ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରକଳ୍ପ ଅନୁମୋଦନ ପରେ ମନ୍ତ୍ରୀ ପରିଷଦ ଓ ବିଧାୟକମାନେ ରାଜ୍ୟ ଅତିଥି ଭବନରେ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ପ୍ରକଳ୍ପ ଦ୍ଵାରା ରାଜ୍ୟରେ ଗମନାଗମନ ଭିତ୍ତିଭୂମି ସୁଦୃଢ ସହ ଅର୍ଥନୈତିକ ପ୍ରଗତି ହେବ । ଆଇଟି, ଟେକ୍ସଟାଇଲ କ୍ଷେତ୍ରରେ ଅଧିକ ପୁଞ୍ଜି ଆସିବା ସହ ପୋସ୍କୋ, ମିତ୍ତଲ ଓ ଜେଏସ୍ଡ଼ବ୍ଲୁ ଭଳି ବଡ଼ ବଡ଼ କମ୍ପାନୀ ଓଡ଼ିଶାକୁ ଆସିବାର ବାଟ ଫିଟିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟର ବହୁ ପ୍ରତିକ୍ଷୀତ କ୍ୟାପିଟାଲ ରିଜିଅନ ରିଂ ରୋଡ଼ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି। ଡବଲ ଇଞ୍ଜିନ ସରକାର ଥିବା ବିଜେପି ଏହାକୁ ନିଜର ସଫଳତା ବୋଲି ବିବେବଚନା କରୁଛି । ଅନ୍ୟପଟେ ପ୍ରକଳ୍ପ ୨୦୨୧ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରି କେନ୍ଦ୍ରକୁ ପଠାଇଥିଲେ । ଏପରିକି ଜମି ଅଧିଗ୍ରହଣ ପାଇଁ ନିଜସ୍ବ ବଜେଟରୁ ୬୦୦ କୋଟି ଟଙ୍କାର ବ୍ୟବସ୍ଥା ନବୀନ ପଟ୍ଟନାୟକ କରିଥିଲେ ବୋଲି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । କଂଗ୍ରେସ ଏହି ପ୍ରକଳ୍ପକୁ ସ୍ବାଗତ କରିଥିବା ବେଳେ କେବେ ଅର୍ଥ ବରାଦ ହେବ ଏବଂ କେବେ କାମ ଆରମ୍ଭ ହେବ ବୋଲି ପ୍ରଶ୍ନ କରିଛି । ରେଳ ଓ ବିମାନ ପରିବହନର ବିକଳ୍ପ ଭାବେ ଉଭା ହୋଇଥିବା ସଡ଼କ ପରିବହନରେ ସିଆରଆର୍ ଭୁବନେଶ୍ବର ଓ କଟକ ସହରର ଟ୍ରାଫିକକୁ ଏଡ଼ାଇବାରେ ସହାୟକ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

କ୍ୟାପିଟାଲ ରିଜିଅନ ରିଂ ରୋଡ଼ ପାଇଁ ଶ୍ରେୟ ନେବାକୁ ବିଜେଡ଼ି-ବିଜେପି ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଏହାର ବାସ୍ତବ ରୂପାୟନକୁ ସମସ୍ତେ ଅପେକ୍ଷା କରିଛନ୍ତି ।