ଓଡ଼ିଶାରେ ଆରମ୍ଭ ହେବ SIR: କଂଗ୍ରେସର ବିରୋଧ, ବିଜେଡିର ସ୍ବାଗତ

1 min read

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ଲାଗୁ ହେବ SIR ବା ଭୋଟର ତାଲିକାରେ ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା । ୭ ଜାନୁଆରୀ ୨୦୨୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏଭଳି ସୂଚନା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । କଂଗ୍ରେସ ସ୍ବାଭାବିକ ଭାବେ ଏହାକୁ ବିରୋଧ କରିଥିବା ବେଳେ, ପଦକ୍ଷେପକୁ ସ୍ବାଗତ କରିଛି ବିଜେଡି । ସଂଶୋଧନ ଆଳରେ କୌଣସି ଭୋଟରଙ୍କୁ ମତଦାନରୁ ବଞ୍ଚିତ କରା ନଯାଉ ବୋଲି ବିଜେଡି କହିଥିବା ବେଳେ, ବିଜେପି ମଧ୍ୟ ସ୍ବତନ୍ତ୍ର ସଂଶୋଧନକୁ ସ୍ବାଗତ କରିଛି । ଅନ୍ୟପଟେ ଆଇନ ମନ୍ତ୍ରୀ କଂଗ୍ରେସର ଆଭିମୁଖ୍ୟକୁ କରିଛନ୍ତି କଡ଼ା ସମାଲୋଚନା ।

ଓଡ଼ିଶାରେ ଆରମ୍ଭ ହେବ ସ୍ବତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟା । ବିହାରରେ ଏସଆଇଆରକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶାରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ । କଂଗ୍ରେସ ସ୍ବାଭାବିକ ଭାବେ ଏହାକୁ ବିରୋଧ କରିଥିବା ବେଳେ, ବିଜେପି ଓ ବିଜେଡି ଏହାକୁ ସ୍ବାଗତ କରିଛନ୍ତି । ୪୨ ଲକ୍ଷ ଭୋଟରଙ୍କୁ ନେଇ ଓଡ଼ିଶାରେ ସନ୍ଦେହ ଅଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଆଗକୁ ଦଳ ପକ୍ଷରୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ । ଏହି ପ୍ରସଙ୍ଗରେ କଂଗ୍ରେସର ଅଭିଯୋଗକୁ ଆଇନମନ୍ତ୍ରୀ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଅନେକ ମୃତ ଓ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର ହୋଇଥିବା ଭୋଟରଙ୍କ ବାବଦରେ ସଠିକ ତଥ୍ୟ ପାଇଁ ଏସଆଇଆର ଲାଗୁ ହେବା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି କହିଛନ୍ତି ଆଇନମନ୍ତ୍ରୀ ।

ଗଣତନ୍ତ୍ରରେ ସବୁ କିଛି ଠିକ୍ ଚାଲିବାର ଅଛି । ସମସ୍ତଙ୍କ ଭୋଟ ଦେବାର ଅଧିକାର ଅଛି । ସ୍ବତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟାକୁ ବିଜେଡି ସ୍ବାଗତ କରିଛି । ସେହିପରି କୌଣସି ଭୋଟର ଯେପରି ମତଦାନରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ନିର୍ବାଚନ କମିଶନ ଯତ୍ନବାନ ହେବା ଉଚିତ ବୋଲି କହିଛି ବିଜେଡି । ସେପଟେ ବିଜେପି କହିଛି, ଏସଆଇଆରକୁ ଆମେ ବିରୋଧ କରୁନାହୁଁ । ଭୋଟର ତାଲିକା ସଂଶୋଧନ ହେବା କଥା । ଅନେକ ଦିନ ଧରି ରାଜ୍ୟରେ ସ୍ବତନ୍ତ୍ର ସଂଶୋଧନ ହୋଇ ନଥିଲା । କଂଗ୍ରେସ କେବଳ ବିଭ୍ରାନ୍ତ କରୁଛି କହିଛି ବିଜେପି । ରାଜ୍ୟରେ ପ୍ରାୟ ୭ ହଜାର ୨ଟି ଜାଗାରେ ଥିବା ଭୋଟର ଓ ମୃତ ଭୋଟରଙ୍କ ନାମ ତାଲିକାରୁ ହଟାଯାଇଛି । ଜାନୁଆରୀ ମାସରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା ।