ହକ ଓ ଅଧିକାରକୁ ନେଇ ୧୮ରେ ବିଜେଡିର ଚାଷୀ ସମାବେଶ

ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କ ହକ୍ ଓ ଅଧିକାରକୁ ନେଇ ୧୮ ତାରିଖରେ ବରଗଡ଼ରେ ବିଜେଡି କରିବ ଚାଷୀ ସମାବେଶ । ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ରୁ ଗର୍ଜିବେ ହଜାର ହଜାର ଚାଷୀ । ଚଳିତ ଖରିଫ୍ ଋତୁରେ ଚାଷୀଙ୍କ ଧାନ କାର୍ଡ ପଞ୍ଜୀକରଣ ନିୟମକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଥିବା ବେଳେ ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡ଼ି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ୮୦୦ ଟଙ୍କା ଇନପୁଟ ସହାୟତାରୁ ବଞ୍ଚିତ କରିବା ପାଇଁ ଏହା ଷଡ଼ଯନ୍ତ୍ର ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ।
ସେହିପରି ନିର୍ବାଚନ ସମୟରେ ବିଜେପି ଦେଇଥିବା ଇସ୍ତାହାର ପତ୍ର ଦେଖାଇ ସରକାରକୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡ଼ି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ମନ୍ତ୍ରୀଙ୍କ କଥା ପ୍ରାଶାସନିକ ସ୍ତରରେ ଲାଗୁ ହେଉ ନଥିବା କହି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ । ସେହିଭଳି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ରାଜ୍ୟରେ ଜୁମଲା ସରକାର ଚାଲିଥିବା ଓ ଚାଷୀଙ୍କ ପାଇଁ ଏମାନଙ୍କ ଦରଦ ନଥିବା କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।