ବିହାରରେ ଭୋଟ ଗଡ଼ବଡ଼ି ବିରୋଧରେ ରଣନୀତି, କଂଗ୍ରେସ ପକ୍ଷରୁ votechori.in ପୋର୍ଟାଲ ଲଞ୍ଚ
1 min read
ନନ୍ଦିଘୋଷ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ । ସେପଟେ କଂଗ୍ରେସ ଆରମ୍ଭ କରିଛି ଭୋଟ ଚୋରି ବିରୋଧରେ ଅଭିଯାନ । ସ୍ବଚ୍ଛ ନିର୍ବାଚନ ଲାଗି ନିର୍ବାଚନ କମିଶନଙ୍କ ନିକଟରେ ଦାବି ରଖିଛି କଂଗ୍ରେସ । ଗତ ଲୋକସଭା ନିର୍ବାଚନ ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଭୋଟ ଚୋରି ହୋଇଥିଲା ବୋଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଯାହା କହିଥିଲେ ତାହାକୁ ନେଇ ବିହାରରେ ଚାଲିଛି ଅଭିଯାନ । ସ୍ବଚ୍ଛ ଭୋଟର ତାଲିକା ଓ ଅବାଧ ନିର୍ବାଚନ ଲାଗି ଜନସାଧାରଣଙ୍କୁ ସାମିଲ କରିବା ନିମନ୍ତେ କଂଗ୍ରେସ votechori.in ପୋର୍ଟାଲ ଲଞ୍ଚ କରିଛି । ଏହି ପୋର୍ଟାଲରେ ନିଜର ମତ ଉପସ୍ଥାପନ କରିବା ଲାଗି ଆହ୍ବାନ ଦିଆଯାଇଛି । ମେସିନ ପଢିପାରୁଥିବା ଡିଜିଟାଲ ଭୋଟର ତାଲିକା ଲାଗି ଏହି ପୋର୍ଟାଲରେ ଦାବି କରିପାରିବେ ଜନତା । ଏହି ପୋର୍ଟାଲରେ ଅଭିଯୋଗ କଲେ ମଲ୍ଲିକାର୍ଜୁନ ଖଡଗେ, କେ.ସି. ବେଣୁଗୋପାଳ ଓ ଅଜୟ ମାକେନଙ୍କ ସ୍ବାକ୍ଷର ଥିବା ଏକ ଡିଜିଟାଲ ସାର୍ଟିଫିକେଟ ମିଳିପାରିବ । ଏହା ସହ 96-5000-3420କୁ ମିସଡ କଲ୍ କଲେ ନିଜ ଅଭିଯୋଗ ପଞ୍ଜିକରଣ ଲାଗି ଏକ ଏସଏସଏସ ଲିଙ୍କ ଆସିପାରିବ । ଜଣେ ବ୍ୟକ୍ତି-ଗୋଟିଏ ଭୋଟ ନୀତି ବିରୋଧରେ ଭୋଟ ଚୋରି ଏକଅପରାଧ ବୋଲି କୁହାଯାଇଛି । ସେପଟେ ଆସନ୍ତା ସେପ୍ଟେମ୍ବର ୧ରେ ବିହାରରେ ଇଣ୍ଡିମେଣ୍ଟର ମତଦାତା ଅଧିକାର ଯାତ୍ରା କରାଯିବ ବୋଲି ଘୋଷଣା କରାଯାଇଛି । ତେଣେ ବିହାରର ଡିଜିଟାଲ ଚିଠା ଭୋଟର ତାଲିକା ବଦଳରେ ଭୋଟର ତାଲିକାର ଏକ ସ୍କାନଭିତ୍ତିକ ଭୋଟର ତାଲିକା ନିର୍ବାଚନ କମିଶନଙ୍କ ଓ୍ବେବସାଇଟରେ ସ୍ଥାନୀତ କରାଯାଇଛି । ଡିଜିଟାଲ ତାଲିକାରେ ସମସ୍ତ ତଥ୍ୟ ସହଜରେ ମିଳିପାରୁଥିବାବେଳେ ସ୍କାନକପିରେ ତାହା ସମ୍ଭବ ହୋଇପାରୁନଥିବାରୁ ଇସିଙ୍କୁ ପୁଣି ଟାର୍ଗେଟ କରିଛନ୍ତି ବିରୋଧୀ । ଗତ ଅଗଷ୍ଟ ୧ ତାରିଖରେ ଏହି ଚିଠା ଭୋଟର ତାଲିକାକୁ ଅପଲୋଡ କରିଥିଲେ । ମାତ୍ର ବର୍ତ୍ତମାନ ତାହା ବଦଳରେ ସ୍କାନ କପିକୁ ଅପଲୋଡ କରିଛନ୍ତି । ସେପଟେ ଲୋକଜନଶକ୍ତି ପାର୍ଟି(ରାମବିଳାସ) ନେତା ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ବାନ ଖୁବ ଶୀଘ୍ର ବିହାରରେ ଚିରାଗ କା ଚୌପାଲ ଅଭିଯାନ ଆରମ୍ଭ କରିବେ ବୋଲି ସୂଚନା ମିଳିଛି ।