୫ ଘଣ୍ଟା ଧରି ରାସ୍ତାକଡ଼ରେ ପଡ଼ି ରହିଲା ମାଆର ଶବ

ବ୍ରହ୍ମପୁର: ମରିଗଲା ମାନବିକତା । ସମ୍ପତ୍ତି ଆଗରେ ସବୁକିଛି ସରିଗଲା । ୫ ଘଣ୍ଟା ଧରି ରାସ୍ତାକଡ଼ ବାରଣ୍ଡାରେ ପଡ଼ିରହିଲା ମାଆର ଶବ । ସେପଟେ ସମ୍ପତି ବଣ୍ଟାକୁ ନେଇ କଳିରେ ବ୍ୟସ୍ତ ଥିଲେ ୪ ଝିଅ । ୨ କୋଟି ଟଙ୍କାର ମାଲିକାଣୀର ଶବ ଘର ବାହାରେ ସେମିତି ପଡ଼ିରହିଥିଲା । ଝିଅ, ନାତି ଓ ନାତୁଣୀ, ସମସ୍ତେ ଉପସ୍ଥିତି ଥିଲେ । କାହା ଆଖିରୁ ଲୁହ ଝରିବା ତ ଦୂରର କଥା, ବୁଢ଼ୀ ମାଆ ଉପରକୁ କାହା ଆଖି ବି ଯାଇ ନ ଥିଲା । ଏଭଳି ଅଭାବନୀୟ ଘଟଣାକୁ ନେଇ ବ୍ରହ୍ମପୁରରେ ଚର୍ଚ୍ଚା ।

 

ବଡ଼ବଜାର ଥାନା ଶ୍ରୀରାମୃନଗର ଦ୍ୱିତୀୟ ଲେନରେ ୪ ମହଲା ଘର । ଯେଉଁଠି ରହୁଥିଲେ ସୂର୍ଯ୍ୟମଣି ସାହୁ । ବ୍ରହ୍ମପୁର ମେଡିକାଲରେ ୮୫ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେଲା । ଶବ ଧରି ଆମ୍ବୁଲାନ୍ସ ଘର ଆଗରେ ପହଞ୍ଚିଲା । କିନ୍ତୁ ଭିତରକୁ ଯାଇପାରିଲାନି । ସମ୍ପତ୍ତି ଭାଗବଣ୍ଟାକୁ ନେଇ ଘରେ ତାଲା ପକାଇଥିଲେ ଝିଅ । ଗୋଟିଏ ନୁହେଁ ତିନି ତିନି ଟି ତାଲା ମାଆର ଶବକୁ ଘରେ ପଶିବାକୁ ଦେଇ ନ ଥିଲା । ୪ ଝିଅ, ନାତି ନାତୁଣୀଙ୍କ  ପାଇଁ ସମ୍ପତ୍ତିର ଭାଗବଣ୍ଟା ଆଗରେ ଯେମିତି ମରିଯାଇଥିଲା ମାନବିକତା । ଶେଷରେ ସ୍ଥାନୀୟ ଲୋକେ ଶବ ସତ୍କାର ପାଇଁ ଆଗେଇ ଆସିଲେ । ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ମଧ୍ୟ ଆସିବାକୁ ପଡ଼ିଲା । ତା ପରେ ଯାଇ ଶବ ପାଇଁ ଯୋଗାଡ଼ ହୋଇଥିଲା କୋକେଇ ।

Leave a Reply