ଜାତୀୟ ଶିକ୍ଷା ନୀତି ୨୦୨୦ର ବିବାଦ ଭିତରେ ଛନ୍ଦି ହୋଇ ପଡ଼ୁଛି ଓଡ଼ିଶା ଶିକ୍ଷା ବ୍ୟବସ୍ଥା

ଭୁବନେଶ୍ବର : ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ବନାମ ଜାତୀୟ ଶିକ୍ଷା ନୀତି ୨୦୨୦ । ସରକାର ଲାଗୁ କଲେ ନୂଆ ଶିକ୍ଷା ନୀତି । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ଦ୍ବାଦଶରେ ହିଁ ହେବ ବୋର୍ଡ ପରୀକ୍ଷା । ଯେଉଁଥି ପାଇଁ ସ୍କୁଲ ପରିସରକୁ ଆସିବ ଏକାଦଶ ଓ ଦ୍ବାଦଶ ଶ୍ରେଣୀ । ଏଯାଏଁ ୧୦୨ ହାଇସ୍କୁଲର ଅପଗ୍ରେଡେସନ ସରିଲାଣି । ଆଗକୁ ଆହୁରି ହେବ ।

ସବୁଠାରୁ ବିବାଦୀୟ ଦିଗକୁ ଠେଲି ହୋଇଯାଉଛି ହାଇସ୍କୁଲ ଅପଗ୍ରେଡେସନ ବ୍ୟବସ୍ଥା । ଅପଗ୍ରେଡେସନ ପୂର୍ବରୁ ସରକାର ଆନୁସଙ୍ଗିକ ବ୍ୟବସ୍ଥାକୁ ଭୁଲି ଯାଇଥିବା ଅଭିଯୋଗ କରିଛନ୍ତି ଶିକ୍ଷକ । ସ୍କୁଲରେ ଆବଶ୍ୟକୀୟ ଶ୍ରେଣୀ ଗୃହ ଅଭାବ ସହ ରହିଛି ଶିକ୍ଷକ ମରୁଡ଼ି। ଦୀର୍ଘ ଦିନରୁ କଲେଜ ଅଧ୍ୟାପକମାନେ ଯୁକ୍ତ ଦୁଇ ପିଲାମାନଙ୍କୁ ପାଠ ପଢାଇ ଆସୁଛନ୍ତି । ହେଲେ ଏବେ ସ୍କୁଲକୁ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଯିବା ପରେ କଲେଜ ଅଧ୍ୟାପକମାନେ ସ୍କୁଲ ଯାଇ ପଢାଇବାକୁ ଅନିଚ୍ଛୁକ ଅଛନ୍ତି । ସେପଟେ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ପଢାଇବାର ଅଭିଜ୍ଞତା ସ୍କୁଲ ଶିକ୍ଷକଙ୍କ ପାଖରେ ନାହିଁ । ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ କିଏ ପଢାଇବେ, ତାକୁ ନେଇ ଏବେଠାରୁ ଦ୍ବନ୍ଦ୍ବ ଉପୁଜିଲାଣି । ପିଜିଟି ଶିକ୍ଷକ ନିଯୁକ୍ତି କରିବା ପାଇଁ ଦାବି ଉଠିଛି । ଦଶମ ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅସ୍ତିତ୍ବକୁ ନେଇ ବି ପ୍ରଶ୍ନ ଉଠୁଛି । ଅପଗ୍ରେଡେସନ ପରେ ଦଶମ ବୋର୍ଡ ଉଚ୍ଛେଦ ହେବ ନା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ତାକୁ ନେଇ ପ୍ରଶ୍ନ ଉଠିଛି । ରାଜ୍ୟରେ ସମୁଦାୟ ୨ ହଜାର ୪୧୫ ଯୁକ୍ତ ଦୁଇ କଲେଜ ଅଛି । ଯାହାକୁ ଉଚ୍ଚମାଧ୍ୟମିକ ସ୍କୁଲ କୁହାଯାଉଛି । ସ୍କୁଲଗୁଡ଼ିକର ଅପଗ୍ରଡେସନ ଯେତେ ବଢ଼ିବ ଉଚ୍ଚମାଧ୍ୟମିକ ସ୍କୁଲଗୁଡ଼ିକରେ ନାମଲେଖା ସେତେ ପ୍ରଭାବିତ ହେବ। ସରକାରୀ ସ୍କୁଲ ଗୁଡ଼ିକରେ ଦ୍ବାଦଶ ଯାଏଁ ପାଠପଢା ହେଲେ, ବିଜେବି, ରମାଦେବୀ, ରେଭେନସା, ଫକିର ମୋହନ ପରି ଏକକ କଲେଜ ଗୁଡ଼ିକରେ ନାମଲେଖା କମିବ । ବାଧ୍ୟ ହୋଇ ଏହି ସବୁ କଲେଜ ଗୁଡ଼ିକ ବନ୍ଦ କରି ସେହି ବିଲଡିଂ ସରକାର ନିଜ ଅକ୍ତିଆରକୁ ନେବେ ।