ଅଭିଯୁକ୍ତ ପ୍ରମୋଦଙ୍କ ବିରୋଧରେ ସ୍ପଷ୍ଟ ପ୍ରମାଣ ମିଳିଛି : ଏସପି

ପଟ୍ଟାମୁଣ୍ଡାଇ ;  ୫ ଦିନ ପରେ ନୂଆ ମୋଡ଼ ନେଲା ପଟ୍ଟାମୁଣ୍ଡାଇ କାଠିଆପଡ଼ା ଛାତ୍ରୀ ଆତ୍ମହୁତି ଘଟଣା । କାଲି ପରିବାର ପକ୍ଷରୁ ଏତଲା ଦିଆଗଲା । ଆଜି ପୁରୁଷବନ୍ଧୁ ପ୍ରମୋଦ ବେହେରାଙ୍କୁ ଗିରଫ କରିଛି ପୋଲିସ । ସ୍ଵାସ୍ଥ୍ୟ ପରୀକ୍ଷା ପରେ ପଟ୍ଟାମୁଣ୍ଡାଇ କୋର୍ଟରେ ହାଜର କରିଥିଲା ପୋଲିସ। ଅଗଷ୍ଟ ୬ ତାରିଖ ସକାଳ ୭ଟା ୩୪ରେ ଛାତ୍ରୀ ପୋଡ଼ିହୋଇଥିଲେ। ସେହିଦିନ ପ୍ରମୋଦ ଛାତ୍ରୀଙ୍କୁ ୫ରୁ ୬ ଥର ଫୋନ କରିଥିଲା। ଏଥିରୁ ଜଣାପଡ଼ୁଛି ଛାତ୍ରୀଙ୍କ ଆତ୍ମହତ୍ୟା କରିବା ପାଇଁ ପୁରୁଷବନ୍ଧୁ ଉସୁକାଇଥିବା ପୋଲିସ ଆଜି ସ୍ପଷ୍ଟ କରିଛି। ଏ ପର୍ଯ୍ୟନ୍ତ ଛାତ୍ରୀଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ । ସେପଟେ ପଡୋଶୀଙ୍କ ସିସିଟିଭି ଫୁଟେଜ୍ରୁ କିଛି ତଥ୍ୟ ମିଳିନାହିଁ । ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି ଏଫଏମ୍ଟି ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି କେନ୍ଦ୍ରାପଡ଼ା ଏସପି କହିଛନ୍ତି। ପୋଲିସ ଛାନବିନରୁ ଜଣାପଡ଼ିଛି ପ୍ରମୋଦଙ୍କ ମୋବାଇଲରେ ରହିଥିଲା ମୃତ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ। ଏସବୁ ଅଶ୍ଲୀଳ ଭିଡିଓକୁ ଜୁଲାଇ ୧୭ରେ   ଛାତ୍ରୀଙ୍କ ବାପାଙ୍କ ସହ ଏକାଧିକ ବ୍ୟକ୍ତିଙ୍କ ପାଖକୁ ଅଭିଯୁକ୍ତ ପଠାଇଛି। ପ୍ରେମିକ ପ୍ରମୋଦର ମାନସିକ ନିର୍ଯାତନାରୁ ଝିଅ ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ତାଙ୍କ ବାପା। ହେଲେ ଝିଅ କେମିତି ପୋଡ଼ିଗଲେ ଏବେବି ସସପେନ୍ସ। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି।

ସେପଟେ ପ୍ରମୋଦଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଅସ୍ଵୀକାର କରିଛନ୍ତି ତାଙ୍କ ପରିବାର ଲୋକେ। ମୃତ୍ୟୁ ଘଟଣାର ୪ ଦିନ ପରେ ପୁରୁଷ ବନ୍ଧୁ ପ୍ରମୋଦଙ୍କ ନାଁରେ ଏତଲାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ମାଆ ଓ ଭଉଣୀ। କହିଛନ୍ତି, ଭଲ ପାଇବା କଣ ପାପ। ଆମ ପୁଅ ତାଙ୍କ ଝିଅକୁ ଭଲ ପାଉଥିଲା। ଆମେ ଗରିବ ବୋଲି ଝିଅକୁ ମାଡ଼ ମାରୁଥିଲେ ତାଙ୍କ ବାପା। ତେଣୁ ଝିଅର ମୃତ୍ୟୁରେ ତାଙ୍କ ପରିବାରର ସମ୍ପୂର୍ଣ୍ଣ ହାତ ଥିବା ଅଭିଯୋଗ କରିଛନ୍ତି ପ୍ରମୋଦଙ୍କ ପରିବାର। ଯଦି ପ୍ରମୋଦ ଭୁଲ କରିଛନ୍ତି ତାଙ୍କୁ ଦଣ୍ଡ ଦିଆଯାଉ। ବିନା କାରଣରେ ପୋଲିସ ପ୍ରମୋଦଙ୍କୁ ଗିରଫ କରିଥିବା କହିଛନ୍ତି ପରିବାର ଲୋକେ।ଅନ୍ୟପଟେ ପ୍ରମୋଦ ବିରୋଧରେ ଏତଲାକୁ ନିନ୍ଦା କରିଛନ୍ତି କାଠିଆପଡ଼ା ଗ୍ରାମବାସୀ। ଗତ ବୁଧବାର ଦେହରେ କିରାସିନି ଢାଳି ଛାତ୍ରୀ ଆତ୍ମାହୁତି ଦେଇଥିଲେ। ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା।