କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣା, ଦ୍ଵିତୀୟ ଏତଲା ଦେଲେ ପରିବାର ଲୋକ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣା । ଆଜି ଦ୍ବିତୀୟ ଏଫଆଇଆର ଦେଇଛନ୍ତି  ମୃତ ଛାତ୍ରୀଙ୍କ ବାପା । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ମୃତ ଛାତ୍ରୀଙ୍କ ବାପା ଓ ଭାଇ ପହଞ୍ଚି ପୁରୁଷ ବନ୍ଧୁଙ୍କ ନାମରେ ଏତଲା ଦେଇଛନ୍ତି । ସେପଟେ ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁକୁ ଚାରି ଦିନ ବିତିଲା । ଏବେ ବି ପୋଲିସର ହାତ ଖାଲି । ହତ୍ୟା ନା ଆତ୍ମହତ୍ୟା, ଅଡୁଆ ସୁତାର ଖିଅ ଖୋଜୁଛି ପୋଲିସ । ଏଯାଏଁ ପୋଷ୍ଟମୋର୍ଟମ ରିପୋର୍ଟ ଆସିନଥିବା ବେଳେ ଫରେନସିକ ଓ ସାଇଣ୍ଟିଫିକ ଟିମ ପୂରା ଘର ଛାନଭିନ କରିଛନ୍ତି । ଛାତ୍ରୀ ଜଣକ କେଉଁ ପରିସ୍ଥିତିରେ ଗ୍ରିଲରେ ବନ୍ଧା ହୋଇଥିଲେ? ମୃତ୍ୟୁ ପରେ ନିଆଁ ଲଗାଯାଇଥିଲା ନା ନିଜେ ଛାତ୍ରୀ ନିଆଁ ଲଗାଇ ଦେଇଥିଲେ? ନିଆଁ ଲଗାଇବା ପରେ ପାଖ ପଡିଶା କିଭଳି କୌଣସି ଚିତ୍କାର ଶୁଣିପାରିନଥିଲେ? ନିଆଁ ଲାଗିବା ସମୟରେ ଛାତ୍ରୀ ଜଣକ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ କିପରି? ଛାତ୍ରୀଙ୍କ ଗୋଡ଼ ବନ୍ଧା ହୋଇଥିଲା କି ? ନିଜେ ନିଜକୁ କେମିତି ବାନ୍ଧିଲେ ? କିଏ ବାନ୍ଧିଲା ଓ କାହିଁକି ବାନ୍ଧିଲା ? ଏଥିରେ ପରିବାର ଲୋକଙ୍କ କ’ଣ ରହିଛି ସମ୍ପୃକ୍ତି ? ସାଧାରଣରେ ଉଠୁଥିବା ଏସବୁ ପ୍ରଶ୍ନକୁ ନେଇ ଘାଣ୍ଟି ହେଉଛି ପୋଲିସ । ଘଟଣା ଦିନ ବାପା ମା ଘରୁ କେତେବେଳେ ବାହାରିଥିଲେ ଓ କେତେବେଳେ ଘରକୁ ଫେରିଥିଲେ ଜାଣିବା ପାଇଁ ସିସିଟିଭି ଯାଞ୍ଚ କରୁଛି ପୋଲିସ ।

ସିସିଟିଭି ଫୁଟେଜ ଜବତ କରିବା ପରେ ପୋଲିସ ଗାଁର ଏକ ତେଜରାତି ଦୋକାନ ମାଲିକଙ୍କୁ ପଚରାଉଚରା କରିଛି । ସନ୍ଦେହ କରାଯାଉଛି କିରୋସିନ ଏହି ଦୋକାନରୁ କିଣାଯାଇଥିଲା। ଛାତ୍ରୀଙ୍କ ମୃତ୍ୟୁ, ତା ପରେ ପୋଲିସର ଘନ ଘନ ଗସ୍ତ, ଛାନଭିନକୁ ନେଇ ଗାଁରେ ଏକ ଅସହଜ ନୀବରତା ।   ଗାଁ ଲୋକଙ୍କ ମନରେ ବି ଅନେକ ପ୍ରଶ୍ନ । ବାପାଙ୍କ ଅଭିଯୋଗ ଆଧାରରେ ପୁରୁଷ ବନ୍ଧୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ଏଭଳି ଘଟଣାକୁ ଏଡାଇ ହୋଇଥାନ୍ତା ବୋଲି ଗାଁ ଲୋକେ କହୁଛନ୍ତି । ବାହାରେ ରହୁଥିବା ଭାଇ ପାଖକୁ ମୃତା ଛାତ୍ରୀ ଆଗରୁ ରାକ୍ଷୀ ପଠାଇଥିଲେ । ଭଉଣୀର ମୃତ୍ୟୁ ଖବର ଶୁଣି ଭାଇ ଆସି ଏବେ ଗାଁରେ । ଭଉଣୀ ପଠାଇଥିବା ରାକ୍ଷୀ ମଧ୍ୟ ପାଖରେ ଅଛି । ହେଲେ ଭଉଣୀ ନାହିଁ । ପୁରୁଷ ବନ୍ଧୁକୁ ପୋଲିସ ଚେନ୍ନାଇରୁ ଗିରଫ କରିଥିବା ଚର୍ଚ୍ଚା ହେଉଥିଲା। ଏ ସଂପର୍କରେ ପୋଲିସ କିନ୍ତୁ କିଛି ସ୍ପଷ୍ଟ କରିନି। ଗତ ବୁଧବାର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଞ୍ଚାୟତର କାଠିଆପଡା ଗାଁରେ ଘଟିଥିଲା ଏହି ଅଭାବନୀୟ ଘଟଣା । ନିଆଁ ଲାଗି ବଡପଡା କଲେଜର ଯୁକ୍ତ ତିନି କଳାର ଶେଷ ବର୍ଷ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପଛର କାରଣ ଓ ସତ ଉଦଘାଟନ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।