ଟ୍ରମ୍ପ ପ୍ରତିଶ୍ରୁତିର ପେଡି ଖୋଲିବା ପରେ ଭେଟିବାକୁ ପୁଟିନଙ୍କ ହଁ

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟନଙ୍କ ମଧ୍ୟରେ ଭେଟଘାଟ ହେବାକୁ ଯାଉଛି । ତାରିଖ ସ୍ପଷ୍ଟ ହୋଇ ନଥିଲେ ବି ଆସନ୍ତା ସପ୍ତାହରେ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ବୈଠକ ହୋଇପାରେ । ଟ୍ରମ୍ପ, ପୁଟନଙ୍କୁ ଅଲଟିମେଣ୍ଟମ ଦେଇଥିବା ବେଳେ ଏମିତି ଭେଟଘାଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତଥ୍ୟ ଅନୁସାରେ ଟ୍ରମ୍ପଙ୍କୁ ଭେଟିବାକୁ ଏମିତିରେ ରାଜି ହୋଇନାହାନ୍ତି ପୁଟିନ । ଟ୍ରମ୍ପ ଏମିତି କିଛି ପ୍ରତିଶ୍ରୁତି ଦେଇଛନ୍ତି ଯାହା ଋଷ ପାଇଁ ଲାଭଦାୟକ ହେବ । ଏହାପରେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ଉପରେ ମୋହର ବାଜିଛି ।

ସୂଚନାଯୋଗ୍ୟ, ୟୁକ୍ରେନକୁ ନେଇ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ସବୁକିଛି ଠିକ ନାହିଁ । କିଛିଦିନ ପୂର୍ବେ ଟ୍ରମ୍ପ, ପୁଟନଙ୍କୁ ୫୦ ଦିନର ଅଲଟିମେଟମ ଦେଇଥିଲେ । ପରେ ଏହାକୁ କମାଇ ୧୦ ଦିନ କରିଦେଲେ । ଏହି ସମୟ ସୀମା ଶେଷ ହୋଇ ସାରିଛି । ଏହାରି ମଧ୍ୟରେ ଟ୍ରମ୍ପ ତାଙ୍କ ବିଶ୍ବସ୍ତ ଓ୍ବେଟକଫଙ୍କୁ ପୁଟିନଙ୍କ ପାଖକୁ ପଠାଇବା ସହ ଏମିତି କିଛି ପ୍ରତିଶ୍ରୁତି ଦେଇଛନ୍ତି ଯାହା ଋଷ ପାଇଁ ଲାଭଦାୟକ ହେବ ବୋଲି କୁହାଯାଉଛି । ଏପଟେ ପୁଟିନଙ୍କ ବ୍ୟବହାରରେ ଟ୍ରମ୍ପ ଖୁସି ନାହାନ୍ତି । ଏପରିକି ସେ ପୁଟିନଙ୍କୁ ସମାଲୋଚନା କରି ନିରାଶକାରୀ ବି କହି ସାରିଛନ୍ତି । ଏବେ ସବୁକିଛି ପୁଟିନଙ୍କ ଉପରେ ନିର୍ଭର କରୁଛି । ହେଲେ ସେ ଏମିତି ବି ପ୍ରତିଶ୍ରୁତି ଦେବାକୁ ପ୍ରସ୍ତୁତ ଅଛନ୍ତି, ଯାହା କୌଣସି ନା କୌଣସି ପ୍ରକାରରେ ଋଷ ଓ ପୁଟନଙ୍କ ପାଇଁ ଉପହାର କହିଲେ ଭୁଲ ହେବନି ।

ଟ୍ରମ୍ପଙ୍କ କେଉଁ ସୂଚନା ପୁଟିନଙ୍କ ପାଖକୁ ଆଣିଛନ୍ତି ଓ୍ବେଟକଫ ?

ଦୁଇ ନେତାଙ୍କ ମଧ୍ୟରେ ବଢୁଥିବା ବିବାଦ ଓ୍ବେଟକଫଙ୍କ ଋଷ ଗସ୍ତ ପରେ କିଛି ମାତ୍ରାରେ କମିବା ପରି ମନେ ହେଉଛି । କାରଣ, ଓ୍ବେଟକଫ ପୁଟିନଙ୍କୁ ଏମିତି କିଛି ଅଫଣ ଦେଇଛନ୍ତି ଯାହା ଋଷ ଓ ୟୁକ୍ରେନ ମଧ୍ୟରେ ବୁଝାମଣା ହେବାର ସମ୍ଭାବନାକୁ ବଢ଼ାଇ ଦେଇଛି । ଏଥିରେ ନାଟୋର ବିସ୍ତାର ବନ୍ଦ କରିବାକୁ ମଧ୍ୟ ପ୍ରତିଶ୍ରୁତି ରହିଛି । ଏଥିପାଇଁ ପୁଟିନ ଆଲୋଚନା ପାଇଁ ରାଜି ହେବା ସହ ବୈଠକ ଋଷର ମିତ୍ର ରାଷ୍ଟ୍ର ୟୁଏଇରେ ହେବା ନେଇ କହି ସାରିଛନ୍ତି ।

ପୁଟିନଙ୍କୁ କି କି ପ୍ରତିଶ୍ରୁତି ଦେଇଛନ୍ତି ଟ୍ରମ୍ପ ?

୧. ଟ୍ରମ୍ପ, ପୁଟିନଙ୍କୁ ବିଶ୍ବାସ ଦେଇଛନ୍ତି ଯେ, ୟୁକ୍ରେନରେ ଶାନ୍ତି ନୁହେଁ ବରଂ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଉପରେ ସହମତି ହେବ ।

୨. ବାସ୍ତବତା ଆଧାରରେ ଋଷ, ୟୁକ୍ରେନର ଦଖଲ କରିଥିବା ଜମି ନିଜ ପାଖରେ ରଖିବ । ହେଲେ ଏହାକୁ ଆଇନଗତ ମାନ୍ୟତା ମିଳିବନି ।

୩. ଆଇନଗତ ମାନ୍ୟତା ନହେଲେ ବି ୪୯ ବର୍ଷରୁ ନେଇ ୯୯ ବର୍ଷ ପର୍ଯ୍ୟନ୍ତ ଏହି ବିବାଦକୁ ଏଡାଇ ହେବ ।  ଅର୍ଥାତ, ସେତେଦିନ ପର୍ଯ୍ୟନ୍ତ ଉକ୍ତ ଜମି ଉପରେ ଋଷର ଦଖଲ ରହିବ ।

୪. ଋଷର ତେଲ ଓ ଗ୍ୟାସ ରପ୍ତାନୀକୁ ମଞ୍ଜୁରୀ ମିଳିବ ଓ ଏହା ଦୀର୍ଘଦିନ ପାଇଁ ରହିବ ।

୫. କୌଣସି ପ୍ରକାର ସ୍ଥିତିରେ ନାଟୋର ବିସ୍ତାର ହେବ ନାହିଁ । ଏହାର ଗ୍ୟାରେଣ୍ଟି ଆମେରିକା ଦେବ ।

ବୈଠକ ପାଇଁ ପୁଟିନ ବି ଉତ୍ସାହିତ

ଟ୍ରମ୍ପଙ୍କ ପକ୍ଷରୁ ଏମିତି ଅଫର ମିଳିବା ପରେ ବୈଠକ ପାଇଁ ପୁଟିନ ବି ଉତ୍ସାହ ଦେଖାଇଛନ୍ତି । ସେ ଏହାକୁ ନିଜର ବିଜୟ ଭାବେ ବିବେଚନା କରୁଛନ୍ତି । ଏଥିପାଇଁ ସେ ଓ୍ବେଟକଫଙ୍କୁ ସକରାତ୍ମକ ସନ୍ଦେଶ ଦେଇଛନ୍ତି । ଟ୍ରମ୍ପୁଙ୍କୁ ଭେଟିବା ସହ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ବି ପୁଟିନ ସଙ୍କେତ ଦେଇ ସାରିଛନ୍ତି ।