ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାକୁ ବିତିଲାଣି ଦୁଇ ଦିନ,ଏବେ ବି ସସପେନ୍ସ ଜାରି

ନନ୍ଦିଘୋଷ ବ୍ୟୁରୋ : ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାକୁ ବିତିଲାଣି ଦୁଇ ଦିନ । ଏବେ ବି ସସପେନ୍ସ ଜାରି । ହତ୍ୟା ନା ଆତ୍ମହତ୍ୟା ହେଉନି ସ୍ପଷ୍ଟ । ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ । ଛାତ୍ରୀଜଣକ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପରିବାର ଲୋକ ପଟ୍ଟାମୁଣ୍ଡାଇ ମେଡିକାଲରୁ ଫେରିବା ବେଳକୁ ଘର କବାଟ ବନ୍ଦ ଥିଲା । ସେମାନେ ତାଲା ଭାଙ୍ଗି ଭିତରକୁ ପଶିବା ବେଳକୁ ଝିଅକୁ ପୋଡିଯାଇଥିବା ଅବସ୍ଥାରେ ଦେଖିଥିଲେ ।
ପୂର୍ବରୁ ଝିଅର ଅଶ୍ଲୀଳ ଭିଡିଓ ଭାଇରାଲ କରି ତେରୋହୀ ଗାଁର ଜଣେ ଯୁବକ ତାଙ୍କୁ ବ୍ଲାକମେଲ କରୁଥିଲେ । ଏନେଇ ଛଅ ମାସ ତଳେ ସେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସେ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲାନି । ଯେଉଁଥି ପାଇଁ ଝିଅ ଆତ୍ମହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି ।ଗତକାଲି ଏସସିବି ମେଡିକାଲ କଲେଜରେ ମୃତଦେହ ବ୍ୟବଚ୍ଛେଦ ପରେ ଗାଁରେ ଶେଷକୃତ ସମ୍ପନ୍ନ ହୋଇଛି ।
ବାପାଙ୍କ ଅଭିଯୋଗ ଆଧାରରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସଆଇ ଶୈଳେନ୍ଦ୍ର ମୋହନ ପଲେଇଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ତଦନ୍ତରେ ସ୍ବଚ୍ଛତା ପାଇଁ ଏଭଳି କରାଯାଇଥିବା ଦର୍ଶାଯାଇଛି । ନିଜେ ଏସିପି ତଦନ୍ତ ପ୍ରକ୍ରିୟାକୁ ତଦାରଖ କରୁଛନ୍ତି । ପରିବାର ପକ୍ଷରୁ ହେଉଥିବା ଅଭିଯୋଗ ଏବଂ ପାରିପାର୍ଶ୍ବିକ ସ୍ଥିତି ସବୁ ଦିଗକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି ।