ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାକୁ ମାସେ ପୂରିବ: କ୍ରାଇମବ୍ରାଞ୍ଚ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

1 min read

ଦିଆସିଲି ମାରିବା ମାତ୍ରେ ଲାଗିଯାଇଥିଲା ନିଆଁ । ଫୁଲ ବୋତଲ ପେଟ୍ରୋଲ ନିଜ ଉପରେ ଢାଳି ଦେଇଥିଲେ ଛାତ୍ରୀ । ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାକୁ ଆଉ ୫ ଦିନ ପରେ ବିତିବ ମାସେ । ଏହାରି ଭିତରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଘଟଣା ଦିନ ଅନେକ ଅଣଛାତ୍ର କଲେଜ ମଧ୍ୟରେ ପ୍ରବେଶ କରିଥିଲେ । ସେମାନଙ୍କର ମଧ୍ୟ ଆତ୍ମହତ୍ୟା ଉଦ୍ୟମ ପାଇଁ ଉସକାଇଥିଲେ । ଯାହାକୁ ଆଧାର କରି ABVP ର ରାଜ୍ୟ ଯୁଗ୍ମ ସମ୍ପାଦକ ଅଣଛାତ୍ର ଶୁଭ୍ର ସମ୍ବିତଙ୍କୁ ଗିରଫ ମଧ୍ୟ କରିଛି କ୍ରାଇମବ୍ରାଞ୍ଚ । ତଦନ୍ତର ଅଗ୍ରଗତି ସମୀକ୍ଷା କରିବା ପାଇଁ ଦୁଇଦିନ ହେବ ଡେରା ପକାଇଛନ୍ତି କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟ । ଡିଏସପି ଇମାନ କଲ୍ୟାଣ ନାୟକଙ୍କ ନେତୃତ୍ୱରେ ଚାଲିଛି ତଦନ୍ତ । ତେବେ ତଦନ୍ତ ଶେଷ ହେବାକୁ କିଛି ଦିନ ସମୟ ଲାଗିବ ବୋଲି କହିଛନ୍ତି ଏସପି । ଫରେନ୍ସିକ ଲ୍ୟାବକୁ ପଠାଯାଇଥିବା କିଛି ତଥ୍ୟର ରିପୋର୍ଟ ଆସିଛି । ନୂଆକରି ପଠାଯାଇଥିବା କିଛି ରିପୋର୍ଟ ଆସିନାହିଁ । ଆହୁରି କିଛି ତଥ୍ୟ ଲ୍ୟାବକୁ ପଠାଯିବ । ତଦନ୍ତକୁ ସଂପୂର୍ଣ୍ଣ ସମୀକ୍ଷା କରି ଡିଜିଙ୍କୁ ପ୍ରଦାନ କରାଯିବ ।

ସପଟେ ଫାଷ୍ଟ ଗେଟରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କୁ ଝାଳବୁହା ଜେରା କରିଛି କ୍ରାଇମବ୍ରାଞ୍ଚ । କେତେବେଳେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ ? ଛାତ୍ରୀ ଜଣକ କେଉଁ ସମୟରେ କଲେଜ୍ କ୍ୟାମ୍ପସକୁ ପଶିଲେ ? ଛାତ୍ରୀଙ୍କ ସାଙ୍ଗରେ କିଏ କିଏ ଥିଲେ ? କେଉଁ ଛାତ୍ର ମାନେ ଛାତ୍ରୀଙ୍କ ସହ ଥିଲେ ? କେତେ ଜଣ ଅଣଛାତ୍ର ଥିଲେ ? ସବୁ ଛାତ୍ର ମାନେ ୟୁନିଫର୍ମ ରେ ଥିଲେ ନା ନର୍ମାଲ ଡ୍ରେସ୍ ରେ ଥିଲେ ? ଏସବୁ ବିଷୟକୁ ନେଇ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ମେନ ଗେଟ୍ ସହ, ପ୍ରିନ୍ସପାଲ୍ ଚାମ୍ବର ଓ କ୍ୟାମ୍ପସରେ ଡ୍ୟୁଟି କରୁଥିବା ୩ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ସେପଟେ ସମୀର ସାହୁଙ୍କ ବେଲ ପିଟିସନର ଶୁଣାଣି ଆସନ୍ତା ୧୨ ତାରିଖ ଧାର୍ଯ୍ୟ କରିଛନ୍ତି । ଏହାରି ଭିତରେ CD ଦାଖଲ ପାଇଁ କ୍ରାଇମବ୍ରାଞ୍ଚ ଆବେଦନକୁ ଗ୍ରହଣ କରି କୋର୍ଟ ୭ ଦିନ ସମୟ ଦେଇଛନ୍ତି ।