ଲଗାଣ ବର୍ଷାରେ ଭୁଶୁଡି ପଡିଲା ଘର: ଅନ୍ୟ ଲୋକଙ୍କ ବାରଣ୍ଡାରେ ମୁଣ୍ଡ ଗୁଞ୍ଜୁଛନ୍ତି ଦୁଇ ପରିବାର

ଗତ ଲଗାଣ ବର୍ଷାରେ ଭୁଶୁଡି ପଡିଲା ଘର । ଏବେ ଭଙ୍ଗା ଦଦରା ଘରେ ଓ ଅନ୍ୟ ଲୋକଙ୍କ ବାରଣ୍ଡାରେ ମୁଣ୍ଡ ଗୁଞ୍ଜୁଛନ୍ତି ଦୁଇ ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୁଡଭେଲିପଦର ପଞ୍ଚାୟତରେ । ଗୁଡଭେଲିପଦର ଗାଁରେ ରହୁଥିବା ଦୁଇ ଭାଇ ବିକ୍ରମ ନାଏକ ଓ ଅକ୍ଷମ ନାଏକଙ୍କ ଘର ବର୍ଷାରେ ଭଙ୍ଗା ଯାଇଛି । ବିକ୍ରମ ନାଏକଙ୍କ ଘର କାନ୍ଥ ଭୁଶୁଡି ପଡିଛି । ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିବାରୁ ସେ ଅନ୍ୟ ଏକ ବ୍ୟକ୍ତିଙ୍କ ଘର ବାରଣ୍ଡାରେ ପରିବାର ସହ ଆଶ୍ରୟ ନେଇ ଦିନ କାଟୁଥିବା ଅଭିଯୋଗ କରିଛନ୍ତି । ସେହିପରି ଅକ୍ଷମଙ୍କ ଘର କାନ୍ଥ ବି ଭୁଶୁଡି ପଡିଛି । ନିଜ ଘର ବାରଣ୍ଡାରେ ସେ ଜରିପାଲ ଟାଣି ନିଜ ପରିବାର ସହ ଭୟରେ ଦିନ କାଟୁଛନ୍ତି । ଝଡ ବର୍ଷା ହେଲେ ପଡୋଶୀଙ୍କ ଘରେ ଆଶ୍ରୟ ନେଉଛନ୍ତି ।
ଦୁଇ ଭାଇ ମୂଲ ମଜୁରୀ ଲାଗି ବହୁ କଷ୍ଟରେ ପରିବାର ଚଳାନ୍ତି । ସ୍ଵଳ୍ପ ରୋଜଗାରରେ ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଥିବା ବେଳେ ଭଙ୍ଗା ଘର ମରାମତି କରିବା ତାଙ୍କ ପକ୍ଷେ ସମ୍ଭବପର ହେଉନି । ତୁରନ୍ତ ଏହି ଦୁଇ ପରିବାରକୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅନ୍ୟ ପଟେ ନୂତନ ଭାବେ ଆବାସ ଘର ପାଇଁ ହେଉଥିବା ସର୍ଭେରେ ସେମାନଙ୍କ ନାଁ ତାଲିକାଭୁକ୍ତ କରାଯାଇଛି ବୋଲି କହିଛନ୍ତି ବିଡିଓ ।