ଦୁଇଟି କାଉର ମିଳନ ଦେଖିବା ପଡିଲା ମହଙ୍ଗା, ଜିଇଁ ଥାଉ ଥାଉ କରାଗଲା ଶବ ସତ୍କାର

କୋରାପୁଟ : କୋରାପୁଟ ଜିଲ୍ଲା ରାଣ୍ଡାପାଲି ପଞ୍ଚାୟତ ପାତ୍ରଗୁଡ଼ା ଗାଁରେ ଅନ୍ଧବିଶ୍ୱାସ । ଦୁଇଟି କାଉର ମିଳନ ଦେଖିବା ଦୁଇ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି । ଆଦିବାସୀ ପରମ୍ପରା କଟକଣାର ଶିକାର ହୋଇଛନ୍ତି ଦୁଇ ଯୁବକ । ପ୍ରଥମେ ଗାଆଁରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା । ମୃତ୍ୟୁ ପରେ ଯେପରି ରୀତିନୀତି ଅନୁସାରେ ଶବ ସତ୍କାର କରାଯାଏ ସେହିଭଳି କାର୍ଯ୍ୟକ୍ରମ କରାଯାଇଛି । ମୃତଦେହ ବଦଳରେ ପ୍ରତିକାତ୍ମକ କୁଶପୁତ୍ତଳିକା କୋକେଇରେ ନେଇ ଯାଉଥିବା ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଶୁଦ୍ଧିକ୍ରିୟା ପରେ ପରିବାର ଓ ସମ୍ପର୍କୀୟ ପିତା ଖାଇଥିବା ସୂଚନା ମିଳିଛି । ପରେ ବାହାରେ ଥିବା ଦୁଇ ଯୁବକଙ୍କୁ ଘରକୁ ଅଣାଯାଇଛି । ଆଦିବାସୀ ପରମ୍ପରା ଅନୁଯାୟୀ ଦୁଇ କାଉଙ୍କ ମିଳନ ଦେଖିଲେ ଅତ୍ୟନ୍ତ ଅଶୁଭ ହୋଇଥାଏ । ଏପରି ଦୃଶ୍ୟ ଦେଖିଥିବା ଲୋକର ମୃତ୍ୟୁ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ଆଦିବାସୀ ପରମ୍ପରା ଅନୁସାରେ ପ୍ରତିକାତ୍ମକ ଶବ ସତ୍କାର କରାଯିବା ସହ ଶୁଦ୍ଧିକ୍ରିୟା କରାଯାଇଛି ।