ରକ୍ଷାଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି ଖେଳ ଉପକରଣ, ପରିତ୍ଯକ୍ତ ପୁରୀ ପୌରପାଳିକାରେ ଥିବା ଶିଶୁ ଉଦ୍ୟାନ

ନନ୍ଦିଘୋଷ ବ୍ୟୁରୋ: ପୁରୀ ପୌରପାଳିକାରେ ଥିବା ଶିଶୁ ଉଦ୍ୟାନ ଗୁଡ଼ିକର ଅବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ପରିଚାଳନାଗତ ତ୍ରୁଟି ଏବଂ ରକ୍ଷଣାବେକ୍ଷଣ ଅଭାବରୁ ପାର୍କରେ ଥିବା ଖେଳ ଉପକରଣ ସବୁ ଭାଙ୍ଗିରୁଜି ଅନାବନା ଗଛ ଉଠିଲାଣି । ଶିଶୁମାନଙ୍କ ବୌଦ୍ଧିକ, ଶାରୀରିକ ଏବଂ ମାନସିକ ବିକାଶ ନିର୍ମିତ ଏହି ପାର୍କ ଏବେ ପରିତ୍ଯକ୍ତ । ଏଗୁଡ଼ିକୁ ପୁନଃ କାର୍ଯ୍ଯକ୍ଷମ କରିବା ସହ ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ପାଇଁ ଉଠିଛି ଦାବି ।
ଖେଳଣା ଅଛି । ହେଲେ ଯିବାକୁ ରାସ୍ତା ନାହିଁ । ଜଙ୍ଗଲ ଭିତରେ ଲୁଚିଲାଣି ପିଲାଙ୍କ ପ୍ରମୋଦ ସାମଗ୍ରୀ । କଣ୍ଟା ସାଙ୍ଗକୁ ପଡ଼ିଛି ବୋତଲ, ପ୍ଲାଷ୍ଟିକ ଗ୍ଲାସ । ପାର୍କ ନୁହେଁ ତ, ଲାଗୁଛି ଯେପରି ସରୀସୃପଙ୍କ ବାସସ୍ଥଳୀ । ପାଦଚଲା ପେଭର ବ୍ଲକ ଉପରେ ଉଠିଲାଣି ଗଛ । ପୁରୀ ସହରରେ ଥିବା ଅଧିକାଂଶ ଶିଶୁ ଉଦ୍ୟାନର ଅବସ୍ଥା ଏବେ ଏପରି । ଶିଶୁମାନଙ୍କର ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ଉଦ୍ଦେଶ୍ୟ ନିର୍ମାଣ ହୋଇଥିବା ଏହି ପାର୍କ ଏବେ ପିଲାଙ୍କ କାମରେ ଆସୁନି । ପାର୍କ ନିର୍ମାଣ ଆଳରେ ନିମ୍ନମାନର କାର୍ଯ୍ୟକରି କୋଟି କୋଟି ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହାର ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧର କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି।
୨୦୨୧ ରେ ମୁକ୍ତା ଯୋଜନାରେ ପୁରୀ ପୌରାଞ୍ଚଳରେ ୨୫ ଟି ଶିଶୁ ଉଦ୍ୟାନ ସହ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ୭.୧୭ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ତେବେ ପୌରପାଳିକାର ପରିଚାଳନାଗତ ତ୍ରୁଟି ଏବଂ ରକ୍ଷଣାବେକ୍ଷଣ ଅଭାବରୁ ପାର୍କ ଗୁଡ଼ିକ ଏବେ ପରିତ୍ୟକ୍ତ । ସେପଟେ ପୁରୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ସହରରେ ଥିବା ୩୧ ଟି ପାର୍କ ମଧ୍ୟରୁ ୧୮ ଟି ଏବେ କାର୍ଯ୍ୟକ୍ଷମ ଅଛି । ଅନ୍ୟ ପାର୍କ ଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ କମିଟି ଗଠନ କରାଯାଇ ପରିଚାଳନା ପାଇଁ ଦାୟିତ୍ବ ଦିଆଯିବ । ପାର୍କଗୁଡ଼ିକ କାର୍ଯ୍ଯାକ୍ଷମ ହେଲେ ସ୍ଥାନୀୟ ବାସିନ୍ଦାଙ୍କ ସହ ପର୍ଯ୍ଯଟକ ମଧ୍ଯ ଉପକୃତ ହୋଇ ପାରନ୍ତେ ବୋଲି କହିଛନ୍ତି ଲୋକେ ।