ଓଡ଼ିଶା ଫିଲ୍ମ ଇତିହାସରେ ପ୍ରଥମ: ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ଶ୍ରୀଜଗନ୍ନାଥଙ୍କ ‘ନବକଳେବର’

ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରାରେ, ଓଡ଼ିଶାର ପ୍ରମୁଖ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ର ଅପୂର୍ବ ସଫଳତା ଏବେ ଚର୍ଚ୍ଚାର ବିଷୟ । କେବଳ ଓଡ଼ିଶା ନୁହେଁ ସାରା ବିଶ୍ବର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରର କଥାବସ୍ତୁକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ଦେଖିବାକୁ ପ୍ରେକ୍ଷାଳୟକୁ ଓଡିଆ ଦର୍ଶକ ନିଜେ ଟାଣି ହୋଇ ଆସୁଛନ୍ତି ।

ତେବେ ଓଡିଆ ମାଟିର ଝିଅ ତଥା ଭାରତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ବଡ଼ ଠାକୁରଙ୍କ ଏହି ଫିଲ୍ମର ଅନୁଭୂତି ନେବା ପାଇଁ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରୁ ଫିଲ୍ମର ସମ୍ପୂର୍ଣ୍ଣ ଟିମକୁ ନିମନ୍ତ୍ରଣ କରିଥିଲେ । ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରେ ଚଳଚ୍ଚିତ୍ର ଶ୍ରୀଜଗନରନ୍ନାଥଙ୍କ ‘ନବକଳେବର’ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ ହେଲା ଓ ଏହି କାର୍ଯକ୍ରମରେ ମହାମହିମଙ୍କ ସହ ଉପସ୍ଥିତ ଥିଲେ ଗୁରୁଜୀ
ଡଃ ଚନ୍ଦ୍ରଭାନୁ ଶତପଥୀ, ଚଳଚ୍ଚିତ୍ର ର ଉପଦେଷ୍ଠା ବିଭୁପ୍ରସାଦ ମହାପାତ୍ର, ମେଜର ଜେନେରାଲ ଭୁଦେବ ପରିଡା, ରାଷ୍ଟ୍ରପତିଙ୍କ ଭିଏସଏମ୍ ସାମରିକ ସଚିବ ବିଜୟ ନାୟକ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଓ ଅତିରିକ୍ତ ପ୍ରେସ୍ ସଚିବ ଜ୍ଞାନ ରଞ୍ଜନ ନନ୍ଦ, ରାଷ୍ଟ୍ରପତିଙ୍କ ସଚିବ ଦୀପ୍ତି ଉମାଶଙ୍କର, ପ୍ରେସ୍ ସଚିବ ଅଜୟ କୁମାର ସିଂହ, ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ଅଧିକାରୀ ସୁନୀଲ କୁମାର ତ୍ରିବେଦୀ, କ୍ୟାପ୍ଟେନ୍ ରଭନୀତ ସିଂହ ରନ୍ଧାୱା ନିୟନ୍ତ୍ରକ, କର୍ଣ୍ଣେଲ (ଡକ୍ଟର) କିରଣ କୁମାର କମ୍ପେଲା, ଦେବସ୍ୱେତା ବଣିକ (ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ), ଡକ୍ଟର ସୁନିଶ ଏସ. (ଆଇଫ୍ଏ) ଓ ଓଡ଼ିଶାର ସାଂସଦ ମୁନା ଖାଁଙ୍କ ସହ ଫିଲ୍ମର ପ୍ରଯୋଜିକା ତଥା ନିର୍ଦ୍ଦେଶିକା ବିନି ସାମଲ, ପ୍ରଯୋଜକ ଦିଲ୍ଲୀପ ଜେନା, କାର୍ଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ, ବିତରକ ପ୍ରକାଶ ଫିଲ୍ମସର ନିର୍ଦ୍ଦେଶକ ସଚ୍ଚିକାନ୍ତ ଜେନା , ସଂଗୀତ ନିର୍ଦ୍ଦେଶକ ମଳୟ ମିଶ୍ର, କାହାଣୀ ଓ ସଂଳାପକାର ଶଙ୍କର ତ୍ରୀପାଠି ଙ୍କ ସହ ଫିଲ୍ମର ମୁଖ୍ୟ କଳାକାର ବୃନ୍ଦ ଯେପରିକି ସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ରଞ୍ଜନ ନାୟକ, ଶ୍ରୀତମ ଦାସ, ଶିବାନୀ ସଙ୍ଗୀତା, ପିଙ୍କି ପ୍ରଧାନ, ଓ ଅଂଶୁମାନ ପ୍ରମୁଖ ।

ସ୍ୱୟଂ ବଡ଼ଠାକୁରଙ୍କ ଏହି ଫିଲ୍ମ ଦେଖି ସମସ୍ତେ ବହୁତ ଭାବ ବିହ୍ଵଳ ହୋଇଥିଲେ ଓ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ଓ ପ୍ରସାର କରୁଥିବାରୁ ଫିଲ୍ମର ଟିମକୁ ଅନେକ ପ୍ରଶଂସା କରିଥିଲେ । ଏହି ଅବସରରେ ନବକଳେବର ଟିମ୍ ଗଣମାଧ୍ୟମକୁ କହିଥିଲେ ଯେ ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆମ ଟିମର ଅକ୍ଳାନ୍ତ ପରିଶ୍ରମ ପାଇଁ ଆଜି ଆମେ ଦର୍ଶକଙ୍କ ଏହି ଭଲପାଇବା ପାଇଥିଲୁ । ଆମ ଓଡିଆ ଝିଅ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ତାଙ୍କ କାର୍ଯ୍ୟାଳୟର ଏହି ଫିଲ୍ମ ପ୍ରତି ଭଲପାଇବା ଆମର ମନୋବଳକୁ ଆହୁରି ବଢାଇଛି ।